
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁକରଣରେ ଡେଲାଙ୍ଗ ବ୍ଲକର ପୁରପଲ୍ଲୀରେ ଆଜି ଅନୁଷ୍ଠିତ ହୋଇଯାଇଛି ପବିତ୍ର ରଥଯାତ୍ରା । ପୁରୀ ଜିଲ୍ଲାର ସର୍ବବବୃହତମ ଗ୍ରାମ ଘୋରଡିଆର ପତିତପାବନ ମନ୍ଦିରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁସଜିତ ରଥରେ ଘଂଟଘଂଟା, କାହାଳୀ, ଶଙ୍ଖ, ମୃଦଙ୍ଗ, ନଦିଆ ସଂକିର୍ତନ ଆଦି ବାଦ୍ୟ ଧ୍ୱନି ମଧ୍ୟରେ ପହଣ୍ଡି ହୋଇ ରଥାରୁଢ ସହ ନବ ଯୌବନ ଦର୍ଶନ ପାଇଁ ରଥ ଟଣା ସ୍ଥଗିତ ରହିଥିଲା । ଆସନ୍ତା କାଲି ଗ୍ରାମଦାଣ୍ଡରେ ରଥଟଣା ଯାଇ ଶ୍ରୀରାଧାମୋହନ ଦେବ ମଠସ୍ଥିତ କଳ୍ପିତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବେ । ସମଗ୍ର ଅଚଂଳରେ ଆଧ୍ୟତ୍ମିକ ପରିବେଶ ସହ ଆନନ୍ଦ ଉତ୍ସାହ ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିର କମିଟିର ମୁଖ୍ୟ ବିଜୟ ମିଶ୍ର ରଥଯାତ୍ରା ପରିଚାଳନା ଦାୟତ୍ୱ ନେଇଥିବା ବେଳେ, ଶିକ୍ଷାବିତ ତଥା ସେବାୟତ ରାମଚନ୍ଦ୍ର ଦାସ ଛେରାପହଁରା କରିଥିଲେ । ବରିଷ୍ଠ ସେବାୟତ ବାସୁଦେବ ମିଶ୍ର, ଦେବାଶିଷ ମିଶ୍ର, ବିରେନ ମିଶ୍ର, ବିକ୍ରମ କେଶରୀ ମିଶ୍ର, ସୁନିଲ ମିଶ୍ର ଏଥିରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ନାରାୟଣ ମିଶ୍ର ପୂଜାର୍ଚ୍ଚନା କରିଥିଲେ । ଏଠାରେ ରଥଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମର ସହସ୍ରାଧିକ ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ଥାନା ପକ୍ଷ୍ୟରୁ ପୋଲିସ୍ ମୁତୟନ କରାଯାଇଥିଲା, ଡେଲାଙ୍ଗ ଥାନା ଭାରପ୍ରାପ୍ତ ଅଧିକାରୀ ଦେବାଶିଷ ମହାନ୍ତି, ଡେଲାଙ୍ଗ ହାଟଫାଣ୍ଡି ଅଧିକାରୀ ଧନପତି ପିଙ୍ଗ, ଏଏସ୍ଆଇ କେଳୁ ଚରଣ ଜେନାଙ୍କ ସମେତ ସ୍ଥାନୀୟ ଗ୍ରାମରଖି ମାନେ ଉପସ୍ଥିତ ରହିଥିଲେ । ସେହିପରି ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ଯୋରକଣୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅକ୍ଷୟ ପରିଡାଙ୍କ ତତ୍ୱାବଧନରେ ରଥଯାତ୍ରା ପରିଚାଳନା ହୋଇଥିବା ବେଳେ ଶିକ୍ଷାବିତ୍ ରମେଶ ଚନ୍ଦ୍ର ସ୍ୱାଇଁ ସୁନ୍ଦର ଭାବେ ରଥଯାତ୍ରା ଓ ଶ୍ରୀଜିଉଙ୍କ ଉପରେ ଧାରାବିବରଣୀ ପ୍ରଦାନ କାରିଥିଲେ । ଡେଲାଙ୍ଗ-କଣାସ ସଡକ, ଖୋର୍ଦ୍ଧା-ଡେଲାଙ୍ଗ-ପଟ୍ଟନାୟକିଆ ସଡକ, ଡେଲାଙ୍ଗ-ବ୍ରହ୍ମଗିରି ସଡକ, ପିପିଲି-ଡେଲାଙ୍ଗ ସଡକରେ ଶିଶୁମାନେ ଶତାଧିକ ଛୋଟଛୋଟ ରଥରେ ଚତୁର୍ଦ୍ଧାମୂତ୍ତିଙ୍କୁ ଆସୀନ କରାଇ ରଥ ଟାଣିବା ଦେଖାଯାଇଥିଲା ବେଳେ ବିଭିନ୍ନ ଗାଁ ଦାଣ୍ଡରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖାଯାଇଥିଲା । ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଓ ଅଚଂଳବାସୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।