
- ତଦନ୍ତ ପାଇଁ ପହଞ୍ଚିଲେ ଆଞ୍ଚଳିକ ପରିଚାଳକ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବରଗାଁର କେତେକ ମହିଳା ଗୋଷ୍ଠୀଙ୍କ ଟଙ୍କା ହେରଫେର ହୋଇଥିବା ସମ୍ପର୍କରେ କଲମପୁର ପୁଲିସର ଦ୍ୱାରସ୍ଥ ହୋଇଥିଲେ ଗୋଷ୍ଠୀର ମହିଳାମାନେ । ପରବର୍ତ୍ତୀ ସମୟରେ ସେମାନେ ଗୁରୁବାର କଲମପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ପାସବୁକ ଯାଞ୍ଚ କରିଥିଲେ । ସେହି ସମୟରେ କେତେକ ମହିଳା ଗୋଷ୍ଠୀର ଟଙ୍କା କମ୍ ଥିବା ଜଣା ପଡିଥିଲା । ଏପରିକି ମହିଳା ଗୋଷ୍ଠୀର ସଭାପତି ଏବଂ ସମ୍ପାଦକଙ୍କ ଅଜାଣତରେ ଟଙ୍କା ଉଠାଣ ହୋଇଥିବା ଜଣାପଡିବାପରେ ସେଠାରେ ମହିଳାମାନେ ବ୍ୟାଙ୍କ ସମ୍ମୁଖରେ ଦୀର୍ଘ ସମୟ ଧରି ବସି ରହିଥିଲେ । ଯାହାଫଳରେ କିଛି ସମୟଧରି ସେଠାରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ବ୍ୟାଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ସନ୍ଧ୍ୟା ଯାଏ ଉତ୍ୟକ୍ତ ମହିଳାମାନେ ବ୍ୟାଙ୍କ ମଧ୍ୟରେ ଅଟକ ରଖିଥିଲେ । ଏହି ଘଟଣାର ତଦନ୍ତ ପାଇଁ ଭବାନୀପାଟଣା ମୁଖ୍ୟ ବ୍ୟାଙ୍କର ଏକ ତିନି ଜଣିଆ ଅଧିକାରୀ ଆସି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନଥିଲା । ଶୁକ୍ରବାର ସକାଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭବାନୀପାଟଣା ଆଞ୍ଚଳିକ ପରିଚାଳକ ଗଙ୍ଗାଧର ପଟ୍ଟନାୟକ ଆସି ମହିଳା ଗୋଷ୍ଠୀ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିଛନ୍ତି । ଆଞ୍ଚଳିକ ପରିଚାଳକଙ୍କ ନିକଟରେ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଉପଭୋକ୍ତା ମାନେ କଲମପୁର ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ମନୋଜ କୁମାର ସ୍ୱାଇଁ ଉପଭୋକ୍ତା ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ଆଞ୍ଚଳିକ ପରିଚାଳକ ଶ୍ରୀ ପଟ୍ଟନାୟକ ବ୍ୟାଙ୍କର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି । ଅଧିକ ତଦନ୍ତ ଜାରି ରହିଛି । ସୂଚନା ଯୋଗ୍ୟ ଗୁରୁବାର ଏହି ଘଟଣାର ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶାଖା ପରିଚାଳକ ଅସୌଜନ୍ୟ ବ୍ୟବହାର କରିଥିଲେ । ଏ ସମ୍ପର୍କରେ ସମ୍ପୃକ୍ତ ସାମ୍ବାଦିକ ଶାଖା ପରିଚାଳକ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ଶୁକ୍ରବାର ଶାଖା ପରିଚାଳକ ମନୋଜ କୁମାର ସ୍ୱାଇଁ ନିଜ ଭୁଲ ସ୍ୱୀକାର କରିଥିଲେ ।