ବଲାଙ୍ଗିର, (କେପିଏନ୍ଏସ୍) : ଖୁବ୍ ଶୀଘ୍ର ଖୁଲାସା ହେବ ବହୁ ଚର୍ଚିତ ଡବଲ୍ ମର୍ଡର୍ ଘଟଣା । ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଥିବା ବଲାଙ୍ଗିର ପୋଲିସକୁ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳତା ମିଳିଥିବା ଆଲୋଚନା ହେଉଛି । ଗୋଟିଏ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି, ଏହି ହତ୍ୟାକାଣ୍ଡ ପଛରେ ଆନ୍ତଃରାଜ୍ୟ ବେଆଇନ୍ କାରବାର୍ ରହିଛି । ଝାରଖଣ୍ଡର ଏକ ହୋଟେଲରୁ ଅଭିଯୁକ୍ତମାନଙ୍କୁ ବଲାଙ୍ଗିର ପୋଲିସ ଗିରଫ୍ କରି ଆଣିଥିବା ବେଳେ ସେମାନଙ୍କୁ ପଚରାଉଚୁରା କରୁଥିବା କୁହାଯାଉଛି । ତେବେ ଖୁବ୍ ଶୀଘ୍ର ଘଟଣାର ଖୁଲାସା ହେବ ଓ ପୁଇଁତଲା ବ୍ଲକ ତଣ୍ଡାମୁଣ୍ଡା ଘାଟି ଜଂଗଲ୍ ଭିତରେ ଘଟିଥିବା ବିଭତ୍ସ ଡବଲ୍ ମର୍ଡର୍ର ଅସଲ୍ କାରଣ ଜଣାପଡ଼ିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳୁଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଜାଭେଦ୍ ଓ ପଲକ୍ ବେଆଇନ କାର୍ବାରରେ ସାମିଲ୍ ଥିବା ନେଇ ବଲାଙ୍ଗିର ପୋଲିସ୍ ପାଖରେ ଠୋସ୍ ସୁରାକ୍ ରହିଥିବା ବେଳେ ବିଭିନ୍ନ ସିସିଟିଭି ଫୁଟେଜ୍ ଓ ଫେସ୍ ଡିଟେକ୍ସନ୍ କ୍ୟାମେରା ଆଧାରରେ ବଲାଙ୍ଗିର ପୋଲିସ ପ୍ରମାଣ ଗୋଟେଇବାରେ ବେଶ୍ ସଫଳତା ପାଇଥିବା ବି ଚର୍ଚ୍ଚା ହେଉଛି । ଅଭିଯୁକ୍ତଙ୍କ ଲିଷ୍ଟ୍ ନେଇ ବଲାଙ୍ଗିର ପୋଲିସ ଏବେ ତନ୍ନ ତନ୍ନ ଛାନ୍ଭିନ୍ କରୁଥିବା ଜଣାପଡ଼ିଛି । ତେବେ ବେଆଇନ୍ କାର୍ବାର୍ରେ ଲିପ୍ତ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ତଥା ଟଙ୍କା ଦେଣନେଣ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ହୋଇଥିବା ମଧ୍ୟ ଏବେ କୁହାଯାଉଛି । ତେବେ ହତ୍ୟାକାଣ୍ଡର ଅସଲ୍ କାରଣ କ’ଣ, ଏ ସଂପର୍କରେ ବଲାଙ୍ଗିର ପୋଲିସ ଖୁବ୍ ଶୀଘ୍ର ଖୁଲାସା କରିବ ବୋଲି ସୂଚନା ମିଳିଛି । ତେବେ ଅଭିଯୁକ୍ତ ମାନଙ୍କୁ ନେଇ ବଲାଙ୍ଗିର ପୋଲିସ ସିନ୍ ରିକ୍ରିଏସନ୍ ପାଇଁ ଏବେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।
Prev Post