om academy

ମା’ ରାମାୟଣାମ୍ମାଙ୍କ ଘଟଯାତ୍ରା ଉତ୍ସବମୁଖର

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଗତ ମେ’ ମାସ ୨୭ ତାରିଖରେ ଆରମ୍ଭ ହୋଇଛି । ଏହି ଯାତ୍ରା ଆସନ୍ତା ୩୦ ତାରିଖରେ ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟି ପକ୍ଷୁରୁ କୁହାଯାଇଛି । ମଙ୍ଗଳବାର ମା’ ରାମାୟଣାମ୍ମାଙ୍କ ଘଟଯାତ୍ରା ଖୁବ୍ ଉତ୍ସବମୁଖର ହୋଇଉଠିଥିଲା ଏବଂ ପ୍ରବଳ ଜନସମାଗମ ହୋଇଉଠିଥିଲା । ଘଟ ପରିକ୍ରମାରେ ବିରାଟ ପଟୁଆରରେ ଦେବୀ ଦଶଭୁଜା ମହାମାୟୀ ଓ ତାଙ୍କ ସହଚରୀଙ୍କ ସହ ନଗରପରିଭ୍ରମଣରେ ପ୍ରତିଦିନ ସନ୍ଧ୍ୟାରେ ବାହାରିଥାଆନ୍ତି । ଏହି ଐତିହାସିକ ଠାକୁରାଣୀ ଯାତ୍ରା ପ୍ରତିଦିନ ସନ୍ଧ୍ୟାରେ ଦେବୀଙ୍କ ଘଟ ପରିକ୍ରମା ବର୍ଣ୍ଣାଢ଼୍ୟ ପଟୁଆରରେ ଉତ୍ସବମୁଖର ହୋଇଉଠିଛି । ନବନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା ଲାଗି ରହିଛି, ଦେବୀଙ୍କ ଅପୂର୍ବ ଲୀଳା ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ପାରମ୍ପରିକ ରୀତିନୀତି ଅନୁସାରେ ସନ୍ଧ୍ୟାବେଳେ ଦେବୀଙ୍କ ଠାରେ ମଣ୍ଡାପିଠା ଭୋଗ ଲାଗି ହୁଏ । ଦେବୀଙ୍କର ମଣ୍ଡାପିଠା ଅତିପ୍ରିୟ ହେତୁ ତାହା ଭୋଗ ଲାଗି ହୁଏ, କିଛି ସମୟ ପରେ ଷୋଡ଼ଶ ଉପଚାର ସହ ଦେବୀଙ୍କୁ କର୍ପୂର ଆଳତୀରେ ବନ୍ଦାପନା କରାଯିବା ପରେ ଘଟଯାତ୍ରା ପାଇଁ ଦେବୀଙ୍କୁ ଆମନ୍ତ୍ରଣ ହୁଏ । ବର୍ଣ୍ଣାଢ଼୍ୟ ସମାରୋହରେ ମା’ଙ୍କୁ ଆମନ୍ତ୍ରଣ କରି ଦାତ୍ତା ବର୍ଗ ତଥା ଦେବୀଙ୍କ ପାଇଁ ଦୈନିକ ଜଣେ କର୍ତ୍ତା ଯାତ୍ରା ବହନ କରିଥାନ୍ତି । ସେହି ଦିନର ଯାତ୍ରା, ଭୋଗ, ରାଗ ଓ ଦେବୀଙ୍କ ନୀତି-କ୍ରାନ୍ତି ଆଦିର ଖର୍ଚ୍ଚ ଉକ୍ତ କର୍ତ୍ତା ବହନ କରିଥାନ୍ତି । ସନ୍ଧ୍ୟାବେଳେ ମା’ଙ୍କୁ ପୂଜା ଆରାଧନା ପରେ କର୍ତ୍ତା ଘରକୁ ଦେବୀଙ୍କ ଆଗମନ ହୋଇଥାଏ । କର୍ତ୍ତାଙ୍କ ନିଜ ଘର ଆହ୍ୱାନ କରିବା ପୂର୍ବକ ଦାଣ୍ଡ ଦ୍ଵାରରେ ଭୋଗ ଅର୍ପଣ, ପୂଜାର୍ଚ୍ଚନା ଆଦି କରାଯାଇଥାଏ । ସେହି କ୍ରମେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରର ବିଶିଷ୍ଟ ସମାଜସେବୀ ସୁଧୀର ପଟ୍ଟନାୟକଙ୍କ ଘର ଅଭିମୁଖେ ମା’ ଆଗମନ କରିଥିଲେ । ସୁଧୀର ପଟ୍ଟନାୟକଙ୍କ ପରିବାର ପକ୍ଷରୁ ଗତକାଲି ମା’ଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଭିନ୍ନ ଭୋଗରାଗ ସହ ହଳଦୀ କୁମ୍‌କୁମ ନେଇ ମା’ଙ୍କୁ ନିମନ୍ତ୍ରଣ କରିଥିଲେ ସୁଧୀରଙ୍କ ଧର୍ମପତ୍ନୀ ସମାପ୍ତି ପଟ୍ଟନାୟକ ଏବଂ ପରିବାର ସଦସ୍ୟ । ଏହା ପରେ ମଧ୍ୟାହ୍ନରେ ମା’ଙ୍କ ଅନ୍ନ-ଭୋଗ ଅର୍ପଣ କରାଯାଇଥିଲା । ମା’ଙ୍କର ଏହି ଦୁର୍ଲ୍ଲଭ ଭୋଗ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିରହିଥିଲା । ଶେଷରେ ସନ୍ଧ୍ୟା ସମୟରେ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରି ହାଇସ୍କୁଲ ରୋଡ ନିକଟସ୍ଥ ସୁଧୀର ପଟ୍ଟନାୟକଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ । ଉକ୍ତ କର୍ତ୍ତାଙ୍କ ଘରଦାଣ୍ଡରେ ରାଜଭୋଗ ଅର୍ପଣ ଲାଗି ହୋଇଥିଲା । ପରିଶେଷରେ ବୁଧବାର ପ୍ରତ୍ୟୁଷରେ ଅସ୍ଥାୟୀ ମଣ୍ଡପରେ ଦେବୀ ପହଞ୍ଚି ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ଏକ ରଙ୍ଗାରଙ୍ଗ-ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମ କର୍ତ୍ତାଙ୍କ ପକ୍ଷରୁ ଆୟୋଜିତ ହୋଇଥିଲା । ଯାତ୍ରା କମିଟିର ମ୍ୟାନେଜର୍‌ ସି. ଏଚ୍‌. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଟ ମ୍ୟାନେଜର ଏମ୍. ସମରେନ୍ଦ୍ର ସେନାପତି, ପି. ରାଜୁ ରେଡ୍ଡୀ, କ୍ୟାସିୟର ଏସ୍‌. ରାମୁଡୁ ରାଓ, କୁନି ଦାସ, ବାଲାଜୀ ଗୌଡ଼, ଶ୍ରୀନିବାସ ରାଓ, କୃଷ୍ଣା ରାଓ, ଏସ୍‌. ଚନ୍ଦୁ, ଏସ୍‌. ଗୋପୀ, ଟି. ବିକି, ଏସ୍‌. କୈଳାସ, ଅଜୟ, ଏସ୍‌. କାଳି, କେ. ତେଜେଶ୍ୱର, ଆର୍. ଶିବ ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପ୍ରତ୍ୟହ ପରିଚାଳନା କରିଆସୁଛନ୍ତି ।

Leave A Reply

Your email address will not be published.