ମହାନଦୀରେ ଘଡ଼ିଆଳ କୁମ୍ଭୀର

  • ବନ ବିଭାଗ ରଖିଛି ନଜର, ସାତକୋଶିଆ ଗଣ୍ଡରୁ ଆସିଥିବା ଅନୁମାନ

ହରଭଙ୍ଗା, (କେପିଏନ୍‌ଏସ୍‌) : ମହାନଦୀରେ ବୁଲୁଛି ଘଡିଆଳ କୁମ୍ଭୀର । ଭୟଭୀତ ନଦୀ କୁଳିଆବାସୀ । କୁମ୍ଭୀରର ଗତି ଵିଧିକୁ ନଜର ରଖିଛି ବନ ବିଭାଗ । ସୂଚନା ମତେ ହରଭଙ୍ଗା ବ୍ଲକ କରଡ଼ି ଶିବମନ୍ଦିର ମହାନଦୀ ଘାଟରେ ଏକ ୧୨ ଫୁଟ୍ ଲମ୍ବର ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି । ଫଳରେ କରଡ଼ି ସମେତ ଆଖପାଖ ନଦୀ କୁଳିଆ ଗ୍ରାମବାସୀ ମହାନଦୀକୁ ସ୍ନାନ ଶୌଚ ପାଇଁ ଯିବାକୁ ଭୟ କରୁଥିବା ବେଳେ ବୌଦ୍ଧ ବନ ବିଭାଗ ଅଧିକାରୀ ଦେବପ୍ରିୟ କମ୍ପୋଙ୍କ ନିର୍ଦେଶ କ୍ରମେ ବୌଦ୍ଧ ରେଞ୍ଜ ଅଧିକାରୀ ଅର୍ଚ୍ଚନା ଗମାଙ୍ଗ ଓ ଏକ ଟିମ୍‌ କୁମ୍ଭୀରର ଗତିବିଧି ନିରୀକ୍ଷଣ କରୁଥିବା ଜଣାପଡିଛି । ଉକ୍ତ କୁମ୍ଭୀର ପ୍ରଥମ ନଦୀ ବଢ଼ିରେ ଖାଦ୍ୟ ଅନ୍ୱେଷଣରେ ସାତକୋଶିଆ ଗଣ୍ଡରୁ ପ୍ରାୟ ମହାନଦୀର ଉପର ମୁଁହା ୪୦ କିଲୋମିଟରରୁ ଉର୍ଦ୍ଧ୍ୱକୁ ଉଠି ଆସି ବୌଦ୍ଧ ସହର ମର୍ଜାକୁଦ, କରଡ଼ି, ମଙ୍ଗଳପୁର, ରାମଗଡ ଆଦି ନଦୀ ଘାଟରେ ବିଭିନ୍ନ ସମୟରେ ଦେଖାଦେଉଛି । ବର୍ତ୍ତମାନ ମହାନଦୀରେ ପୁଣି ବଢ଼ି ଆସିଥିବାରୁ କରଡ଼ି, ମଙ୍ଗଳପୁର ଓ କୃଷ୍ଣମୋହନପୁର ଗ୍ରାମର ନଦୀ ମୁଁହାଣ ନିକଟରେ ଏହି କୁମ୍ଭୀର ଦେଖିବାକୁ ମିଳୁଥିବାରୁ ଲୋକେ ଆତଙ୍କିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.