om academy

ଜିଡ଼ିଏସ୍‌ ଧର୍ମଘଟକୁ ସମର୍ଥନ ଜଣାଇଲେ ରାଜ୍ୟସଭା ସାଂସଦ ନିରଂଜନ ବିଶି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ୍‌ ପକ୍ଷରୁ ବିଭିନ୍ନ ଦାବୀ ନେଇ ଦେଶବ୍ୟାପୀ ଦିନିକିଆ ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି ରାଜ୍ୟସଭା ସାଂସଦ ନିରଂଜନ ବିଶି । ବଲାଙ୍ଗିରରେ ଧାରଣା ସ୍ଥଳରେ ପହଂଚି କେନ୍ଦ୍ର ସରକାର ତୁରନ୍ତ ଗ୍ରାମୀଣ ଡାକ ସେବକମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକୁ ପୂରଣ କରିବା ଉଚିତ୍‌ ବୋଲି ମତ ପ୍ରକାଶ କରିବା ସହ ଆଗାମୀ ଅଧିବେଶନରେ ଜିଡ଼ିଏସ୍‌ମାନଙ୍କ ଦାବୀ ସଂସଦରେ ଉପସ୍ଥାପନ କରିବେ ବୋଲି କହିଛନ୍ତି । ଦେଶର ୧ ଲକ୍ଷ ୫୬ ହଜାର ଡାକଘରରେ ୨ ଲକ୍ଷ ୭୨ ହଜାର ଜିଡ଼ିଏସ୍‌ ଶହେ କୋଟିରୁ ଅଧିକ ନାଗରିକଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ସେମାନଙ୍କ ପ୍ରତି ସରକାର ଅଣଦେଖା କରୁଛନ୍ତି । ଜିଡ଼ିଏସ୍‌ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଚାକିରିର ୬୫ ବର୍ଷ ଅବସର ପରେ ପେନ୍‌ସନ୍‌ ପ୍ରଦାନ, ପ୍ରତି ୧୨ ବର୍ଷରେ ଥରେ ଲେଖାଏଁ ପଦୋନ୍ନତି, ଟିଏ ଡିଏ ପ୍ରଦାନ, ଗ୍ରାଚ୍ୟୁଟି ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଗ୍ରୁପ୍‌ ବୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ମହିଳା ଜିଡ଼ିଏସ୍‌ମାନଙ୍କୁ ୬ ମାସ ପ୍ରସବକାଳୀନ ଛୁଟି, ୧୮୦ ଦିନର ଲିଭ୍‌ ସରେଣ୍ଡର, ଚାକିରି କାଳରେ ମୃତ୍ୟୁ କ୍ଷେତ୍ରରେ ପରିବାର ସଦସ୍ୟଙ୍କୁ ନିଯୁକ୍ତି, ଜିଡ଼ିଏସ୍‌ମାନଙ୍କ ସପକ୍ଷରେ କମଳେଶ ଚନ୍ଦ୍ର କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ସଂଘ ତରଫରୁ ଦାବୀ କରାଯାଇଛି । ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ୟୁନିଅନ୍‌ ବଲାଙ୍ଗିର ଡିଭିଜନ୍‌ ସଭାପତି ଜୟକୃଷ୍ଣ ସାହୁ, ମଣ୍ଡଳ ସଂପାଦକ ଦଶରଥ ଦାଶ ପ୍ରମୁଖ ଧର୍ମଘଟ ସ୍ଥଳରେ ଉଦ୍‌ବୋଧନ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ସମସ୍ତ ଡାକସେବକ ଏହି ଆନ୍ଦୋଳନରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.