
- ବାବୁପାଲି, ଭରସୁଜା, ଝାଙ୍କରପାଲିରେ ଶୁଣିଲେ ଲୋକଙ୍କ ସମସ୍ୟା
ବଲାଙ୍ଗିର, (କେପିଏନ୍ଏସ୍) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜର ପୂର୍ବତନ ନିର୍ବାଚନ ମଣ୍ଡଳି ଆଗଲପୁର ସ୍ଥିତ ବାବୁପାଲି, ଝାଙ୍କରପାଲି ଓ ବରସୁଜା ଗସ୍ତ କରି ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବାବୁପାଲି ଗାଁର ଲୋକେ ବର୍ଷେରୁ ଉର୍ଦ୍ଧ୍ୱ ହେବ ସେଠାରେ ଥିବା ପିଇବା ପାଣି ଯୋଗାଣ ଅଚଳ ହୋଇଥିବା ଅଭିଯୋଗ କରିଥିଲେ । ତାସହ ହଲଦିପଦର, ଗଣ୍ଡପାଲି ରାସ୍ତା, ହଲଦିପଦର ବୁରୋମୁଣ୍ଡା ରାସ୍ତା ବହୁତ ଖରାପ ହୋଇଯାଇଥିବାରୁ ତାର ମରାମତି ନିମନ୍ତେ ପଦକ୍ଷେପ ନେବାକୁ ଲୋକେ ନରସିଂହ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଝାଙ୍କରପାଲି ସଭାରେ ସେଠାରେ ରହୁଥିବା ପ୍ରାୟ ଆଦିବାସୀ ଲୋକେ ସେଠାରେ ପୂର୍ବରୁ ଥିବା ଛୋଟ ଛୁଆମାନଙ୍କ ସ୍କୁଲ ବନ୍ଦ ହୋଇ ଯାଇଥିବାରୁ ଛୋଟ ଛୋଟ ଛୁଆମାନେ ୫କିମିରୁ ଉର୍ଦ୍ଧ୍ୱ ଅଂଚଳକୁୁ ପାଠ ପଢିବା ପାଇଁ ଯାଇ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଶ୍ରୀ ମିଶ୍ରଙ୍କ ନଜରକୁ ଆଣିଥିଲେ । ତା ସହ ଗାଁରେ ଏକ ମିନି ଅଙ୍ଗନୱାଡି କେନ୍ଦ୍ରର ଆବଶ୍ୟକତାକୁ ନେଇ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚାଷୀଙ୍କ ପାଇଁ ଏହି ଅଂଚଳରେ ଏକ ମେଗା ଜଳସେଚନ ପ୍ରକଳ୍ପ କରାଯାଉ ବୋଲି ବାବୁ ଫାସଡ, ଝାଙ୍କରପାଲି ଏବଂ ଭରସୁଜାରେ ଅନୁଷ୍ଠିତ ବୈଠକମାନଙ୍କରେ ସ୍ଥାନୀୟ ଲୋକେ ପୂର୍ବତନ ବିଧାୟକ ଶ୍ରୀ ମିଶ୍ରଙ୍କୁ ଦାବି ଜଣାଇଥିଲେ । ଏ ସମସ୍ତ ଦାବିର ପ୍ରତିଉତ୍ତରରେ ଶ୍ରୀ ମିଶ୍ର ରାସ୍ତା ମରାମତି ନିମନ୍ତେ ତୁରନ୍ତ ଫୋନ୍ ଯୋଗେ ଗ୍ରାମ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ସହ କଥା ହୋଇ ରାସ୍ତା ମରାମତି ନିମନ୍ତେ ଶିଘ୍ର ପଦକ୍ଷେପ ନେବାକୁ କହିଥିଲେ । ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ପାଇଁ ବହୁ ଶିଘ୍ର ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଝାଙ୍କରପାଲି ଗ୍ରାମରେ ପ୍ରାୟତଃ ଗରିବ ଲୋକେ ରହୁଥିବାରୁ ଇନ୍ଦିରା ଆବାସ ପାଇଁ ଯେତେ ଶିଘ୍ର ହେବ ଆବେଦନ କରନ୍ତୁ ବୋଲି ଶିଘ୍ର ଲୋକଙ୍କୁ କହିବା ସହ ବାବୁପାଲି, ଭରସୁଜା ଓ ଝାଙ୍କରପାଲି ଅଂଚଳର ଚାଷୀମାନଙ୍କ ପାଇଁ ଏକ ମେଗା ଜଳସେଚନ ପ୍ରକଳ୍ପ ନିର୍ମାଣ ଦିଗରେ ଉଚ୍ଚତର ଅଧିକାରୀମାନଙ୍କ ସହ ଆଲୋଚନା କରିବା ପ୍ରତିଶୃତି ଦେଇଥିଲେ । ଏହି ଗସ୍ତ ସମୟରେ ଶ୍ରୀ ମିଶ୍ରଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନମୋହନ ପୁଟେଲ, ବୁଦୁଲା ସମବାୟ ସମିତି ସଭାପତି ଚିନ୍ତାମଣି ଭୋଇ, କଂଗ୍ରେସ ଯୁବ ନେତା ଗଣେଷ ସାହୁ, ବିଶ୍ୱଜିତ ସିଂଦେଓ, ତପନ ସାହୁ, ସର୍ବେଶ୍ୱର ଗଡତ୍ୟା ଓ ସାଧୁ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।