ଜିଲ୍ଲାପାଳଙ୍କ ଭୋଗରାଇ ଗସ୍ତ

ନିର୍ମାଣାଧୀନ ୫-ଟି ସ୍କୁଲ ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ

ଭୋଗରାଇ : ମଙ୍ଗଳବାର ଭୋଗରାଇ ଗସ୍ତ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ । ସେ ଭୋଗରାଇ ଗସ୍ତରେ ଆସି ତୃତୀୟ ପର୍ଯ୍ୟାୟରେ ହେବାକୁ ଯାଉଥିବା ୫- ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟଗୁଡିକର କାର୍ଯ୍ୟକୁ ତଦାରଖ କରିଥିଲେ । ଏହାସହ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ପରିଦର୍ଶନ କରିଛନ୍ତି । ଶ୍ରୀ ସିନ୍ଧେ ପ୍ରଥମେ ଆରୁହାବୃତ୍ତି ନଂ-୧ ପଞ୍ଚାୟତର ୫-ଟି ସ୍କୁଲ ପ୍ରକଳ୍ପ ଅନ୍ତର୍ଭୁକ୍ତ ବାରବାଟିଆ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଅନଳିଆ ପଞ୍ଚାୟତ ସ୍ଥିତ ମାନକୁଣ୍ଡା ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଏବଂ ସ୍ୱତନ୍ତ୍ର ଅନୁଦାନରେ କାର୍ଯ୍ୟ ହେଉଥିବା ସୋହରିଆ ବିକେ ଏକାଡେମୀ ପରିଦର୍ଶନ କରିଥିଲେ । ଏଥିସହିତ ଭୋଗରାଇ ଲକ୍‌ ଠାରୁ ଉଲୁଡ଼ା ରାସ୍ତା ଉପରେ ରସଲପୁର ଠାରେ ଡ୍ରେନେଜ ବିଭାଗ ପକ୍ଷରୁ ନିର୍ମିତ ବିଭିନ୍ନ ପୋଲ କାର୍ଯ୍ୟର ତଦାରଖ କରିଛନ୍ତି । ଜଳେଶ୍ୱରପୁର ଠାରେ ଥିବା ମେଗା-(୧) ପାନୀୟ ଜଳ ପ୍ରକଳ୍ପ, ଦେଉଳା (ଅଭୟମହଲ) ଠାରେ ନିର୍ମାଣ ହେବାକୁ ଥିବା ମେଗା-(୨) ପାନୀୟ ଜଳ ପ୍ରକଳ୍ପ ସେହିପରି ଉଦୟପୁର- ତାଳସାରି ମେରାଇନ ଡ୍ରାଇଭ, ଜଳସମ୍ପଦ ବିଭାଗର ପଥରବନ୍ଧ, ଚନ୍ଦନେଶ୍ୱର ମନ୍ଦିର ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ । ଏହାସହ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଶଙ୍ଖାରି ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକାରୀ ହେଉଥିବା କାୟାକଳ୍ପ ଯୋଜନା, ଶଙ୍ଖାରି ଗ୍ରାମ ସ୍ଥିତ ସାହିତ୍ୟିକ ମନୋଜ ଦାସ ଓ ପ୍ରସିଦ୍ଧ ଐତିହାସିକ ମନ୍ମଥ ନାଥ ଦାସଙ୍କ ବାସଭବନ ଠାରେ ହେଉଥିବା କାର୍ଯ୍ୟର ତଦାରଖ କରିବା ସହ ବାଟଗ୍ରାମ ଠାରେ ଜଳନିଷ୍କାସନ ବ୍ୟବସ୍ଥା ଇତ୍ୟାଦି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ସିନ୍ଧେଙ୍କ ସହିତ ବିଡିଓ ଶଙ୍କର ପଟ୍ଟନାୟକ, ତହସିଲଦାର କମଳାକାନ୍ତ ପଣ୍ଡା ଏବଂ ଏଇଇ ସୁଦୀପ୍ତ ରାଉତ ପ୍ରମୁଖଙ୍କ ସହ ସମସ୍ତ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.