ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସୁନ୍ଦରଗଡ଼ ଗସ୍ତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭାଗୀୟ କାର୍ଯ୍ୟକଳାପ ଗୁଡ଼ିକ ଉପରେ ସମୀକ୍ଷା ମଧ୍ୟ କରିଥିଲେ । ଅଧ୍ୟକ୍ଷାଙ୍କ ଏହି ଗସ୍ତ ସମୟରେ ସାଙ୍ଗରେ ଉପସ୍ଥିତ ଥିଲେ ବରିଷ୍ଠ ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ଓ ସଦସ୍ୟା କଳ୍ପନା ଲେଙ୍କା । ଏହି ପରିଦର୍ଶନରେ ସମୟରେ ଏକ ପୀଡ଼ିତା ପରିବାର ସହିତ ସାକ୍ଷାତ କରିଥିଲେ । ଏହାସହିତ ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକ ପରିଦର୍ଶନ କରିବା ସହିତ ଛତୁଆ ୟୁନିଟ୍‌ର କାର୍ଯ୍ୟ ଗୁଡ଼ିକ ତଦାରଖ କରିଥିଲେ । ସେହିପରି ଦୁଇଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ମଧ୍ୟ ପରିଦର୍ଶନ କରି ପିଲାମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ଏବଂ ସେଠାରେ ଦିଆଯାଉଥିବା ଖାଦ୍ୟ ଗୁଡ଼ିକର ମନ ମଧ୍ୟ ପରୀକ୍ଷା କରିଥିଲେ । ସେହିଭଳି ଲହଣ୍ଡାବୁଡ଼ ବିଦ୍ୟାଳୟର ଅସୁସ୍ଥ ଥିବା ଛାତ୍ରଛାତ୍ରୀ ଖବର ପାଇ ଉକ୍ତ ସ୍କୁଲ ପରିଦର୍ଶନ କରିଥିଲେ ଏବଂ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ମଧ୍ୟ ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ପରେ ପରେ ସ୍ଥାନୀୟ ସଦଭାବନା ଭବନ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଶିଶୁ ଅଧିକାର ଉପରେ ସମୀକ୍ଷା ବୈଠକ କରିବା ସହିତ ଆଗାମୀ ଦିନରେ କିପରି ପିଲାମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରି ସୁରକ୍ଷିତ ରଖିପାରିବା ତଥା ସମସ୍ତ ଶିଶୁ ଯେଭଳି ବିଦ୍ୟାଳୟକୁ ଯାଇପାରିବେ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ । ସେହିପରି କିଭଳି ଶିଶୁ ଭିକ୍ଷା ବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇ ପାରିବ ତା ଉପରେ ମଧ୍ୟ ଆଲୋକପାତ କରିଥିଲେ । ବୈଠକରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ରାଉରକେଲା ପୂର୍ବତନ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସାମି ଓରାମ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀବନ୍ତ ଜେନା, ଏଲ୍‌ପିଓ ଶ୍ରୀମତୀ ଗୀତାରାଣୀ ପଟେଲ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.