jayashree

ଫେବୃୟାରୀ ୨୮ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଓ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବୃୟାରୀ ୨୮ରୁ ମାର୍ଚ୍ଚ ୨, ୨୦୨୪ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଓ ଓଡ଼ିଶା ଗସ୍ତରେ ଆସିବେ । ଫେବ୍ରୁଆରି ୨୮ତାରିଖରେ ରାଷ୍ଟ୍ରପତି ରାଞ୍ଚିଠାରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିଦିନ ରାଷ୍ଟ୍ରପତି ଓଡ଼ିଶାର ରାଇରଙ୍ଗପୁରଠାରେ କେନ୍ଦ୍ର ସରକାରଙ୍କ ଅବକାଶ ନିବାସ ପାଇଁ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ରାଇରଙ୍ଗପୁରଠାରେ ବିଭିନ୍ନ ସଡ଼କ ପ୍ରକଳ୍ପ ଓ କ୍ରୀଡ଼ା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବଡ଼ସାହିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କରିବେ । ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି କେନ୍ଦୁଝର ଗୋନାସିକାସ୍ଥିତ କଦଳୀବାଡ଼ି ଗ୍ରାମର ପିଭିଟିଜି ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହାପରେ ସେ ‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିବା ସହ ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ, ଗମ୍ଭରିଆ, କେନ୍ଦୁଝର ଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ । ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଆସନ୍ତା ୧ ତାରିଖରେ ରାଷ୍ଟ୍ରପତି ଭଞ୍ଜ ବିହାରସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ପରେ କଟକରେ ସେ ବ୍ରହ୍ମକୁମାରୀ, ଓଡ଼ିଶାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ । ରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ରାଜଭବନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ । ଆସନ୍ତା ୨ ତାରିଖରେ ରାଷ୍ଟ୍ରପତି ସମ୍ବଲପୁର ଜିଲ୍ଲାରେ ସନ୍ଥ କବି ଭୀମ ଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ । ସମ୍ବଲପୁର ମିନି ଷ୍ଟାଡିୟମରେ ସେ ମହିମା ସଂପ୍ରଦାୟର ଅନୁଗାମୀଙ୍କୁ ଭେଟିବେ ।

Leave A Reply

Your email address will not be published.