oom

ମହାମହିମ ରାଜ୍ୟପାଳଙ୍କ ପଦ୍ମପୁର ଗସ୍ତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ମହୋଦୟ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ପଦ୍ମପୁର ଉପଖଣ୍ଡ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାମହିମ ରାଜ୍ୟପାଳ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସମ୍ପନ୍ନ ବିଭିନ୍ନ ୟୁନିଟ୍ ବୁଲି ଦେଖିଲେ । ଏହାପରେ ସେ ଆଶାକର୍ମୀମାନଙ୍କ ସହ ଆଲୋଚନା କରି ତାଙ୍କୁ ସୂଚାରୁ ରୂପେ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଉତ୍ସାହିତ କରିଥିଲେ ଓ ତାଙ୍କର କର୍ତ୍ତବ୍ୟ ପରାୟଣତା ପାଇଁ ଉଚ୍ଚ ପ୍ରଶଂସା କରିଥିଲେ । ଏହା ପରେ ରାଜ୍ୟପାଳ ରୋଗୀମାନଙ୍କ ସହ ତାଙ୍କ ଚିକିତ୍ସା ସୁବିଧା ବିଷୟରେ ଆଲୋଚନା କରିଥିଲେ । ଏହା ପରେ ସେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ବରଗଡ଼ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଉପଖଂଡ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ସେଠ୍, ଡାକ୍ତର ଆଦିତ୍ୟ ଭୋଇଙ୍କ ସହ ଅନ୍ୟ ସମସ୍ତ ଅଧିକାରୀ ଓ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହି ମହାମହିମ ରାଜ୍ୟପାଳଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ । ବରିକେଲ ଗ୍ରାମକୁ ଗସ୍ତ କରି ରାଜ୍ୟପାଳ ମହୋଦୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରମାନ ବୁଲି ଦେଖିଥିଲେ । ହିତାଧିକାରୀମାନେ ଅନ୍ୟ ସମସ୍ତ ସରକାରୀ ସୁବିଧା ପାଉଛନ୍ତି ନା ନାହିଁ ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ପାଇକମାଲ ବ୍ଲକ ଗସ୍ତ କରି ମହାମହିମ ରାଜ୍ୟପାଳ କସ୍ତୁରବା ଗାନ୍ଧି ମାତୃ ନିକେତନ ପରିଦର୍ଶନରେ ଯାଇଥିଲେ । ସେଠାରେ ଥିବା ଅନ୍ତେବାସୀ କୁନି କୁନି ପିଲା ମାନଙ୍କ ସହ ମିଶି ବିଭିନ୍ନ ବିଷୟରେ କଥା ହୋଇଥିଲେ । ପିଲାମାନେ କିପରି ପାଠ ପଢୁଛନ୍ତି, ଭବିଷ୍ୟତରେ ବଡ଼ ହୋଇ କ’ଣ କରିବେ ସେ ବିଷୟରେ ଅନେକ ପ୍ରଶ୍ନ କରିଥିଲେ । କସ୍ତୁରବା ଗାନ୍ଧି ମାତୃ ନିକେତନର ଅନ୍ତେବାସୀ କୁନି କୁନି ପିଲାମାନେ ମଧ୍ୟ ମହାମହିମଙ୍କ ସହ ଖୁବ ସହଜତାର ସହ କଥା ହୋଇ ସେମାନେ ବଡ଼ ହୋଇ ସମାଜସେବୀ, ଆର୍ମି ଅଫିସର୍, ଡାକ୍ତର ଆଦି ହୋଇ ଦେଶ ମାତୃକାର ସେବା କରିବାର ଲକ୍ଷ୍ୟ ରଖିଥିବା ଉତ୍ତର ଦେଇଥିଲେ ଓ ତାହା ଶୁଣି ମହାମହିମ ରାଜ୍ୟପାଳ ଖୁବ ଖୁସି ହୋଇଥିଲେ । ଏହି ସମୟରେ ସେ ପିଲାମାନଙ୍କୁ ଚକୋଲେଟ ବଣ୍ଟନ କରିଥିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କସ୍ତୁରବା ଗାନ୍ଧି ମାତୃନିକେତନର ଆନୁସଂଗିକ ବ୍ୟବସ୍ଥା ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ତାଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ମହାମହିମ ରାଜ୍ୟପାଳ ପ୍ରଭୁ ନୃସିଂହନାଥଙ୍କ ମନ୍ଦିର ଗସ୍ତ କରି ପ୍ରଭୁଙ୍କ ପୂଜାର୍ଚ୍ଚନା କରିଥିଲେ ଓ ତା ପରେ ବରଗଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ମହାମହିମ ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଅନେକ ଗ୍ରାମବାସୀ ଅନେକ ସମସ୍ୟା ବିଷୟରେ ମଧ୍ୟ ତାଙ୍କୁ ଅବଗତ କରିଥିଲେ । ସେ ସବୁର ତୁରନ୍ତ ସମାଧାନ ପାଇଁ ମହାମହିମ ରାଜ୍ୟପାଳ, ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଓ ସ୍ଥାନୀୟ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

jittmm
Leave A Reply

Your email address will not be published.