୫-ଟି ସଚିବଙ୍କ ଦାରିଙ୍ଗବାଡ଼ି ଗସ୍ତ : ଏକ ସପ୍ତାହ ମଧ୍ୟରେ ଅଭିଯୋଗ ପୂରଣ କରିବେ ମୁଖ୍ୟମନ୍ତ୍ରୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ୫ -ଟି ସଚିବ ଭି.କେ.ପାଣ୍ଡିଆନ ଆସିଥିବା ବେଳେ ଦିତୀୟ ଦିନରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି ହେଲିପ୍ୟାଡ଼ ପଡ଼ିଆଠାରେ ଓହ୍ଲାଇଥିଲେ । ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସେହିପରି ସଚିବ ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଭେଟି ଶହ ଶହ ଅଭିଯୋଗ ଗ୍ରହଣ କରିଥିଲେ । ମହିଳାମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ପ୍ରଶ୍ନ କରିବା ସହ ସ୍ୱତନ୍ତ୍ର ଡ୍ରାଇଭ ଦ୍ୱାରା ଯେଉଁମାନେ ଏହି ସ୍ବାସ୍ଥ୍ୟ କାର୍ଡ ପାଇନାହାନ୍ତି ସେମାନଙ୍କୁ ୬ ମାସ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କହିଥିଲେ । ସେହିପରି ସମସ୍ତ ମନ୍ଦିର, ଚର୍ଚ୍ଚ ଆଦି ମରାମତି, ପୁନଃ ଉଦ୍ଧାର ପାଇଁ ହୋଇଥିବା ଅଭିଯୋଗର ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିବେ ବୋଲି କହିଥିଲେ । ଦାରିଙ୍ଗବାଡ଼ିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (୧ ଶହ ୧୩ କୋଟି) କେବଳ ଶୁଦ୍ଧ ପିଇବା ପାଣି ଘରେ ଘରେ ପହଞ୍ଚାଇବା ପାଇଁ ଅନୁଦାନ ପ୍ରଦାନ କରିଥିବା କହିଥିଲେ । ଉକ୍ତ ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରୀକରଣ କରାଯିବ। ଏଥିପାଇଁ ୨ କୋଟି ୩୭ଲକ୍ଷ ଖର୍ଚ୍ଚ କରାଯିବ ବୋଲି କହିଥିଲେ । ସେହିପରି ଦାରିଙ୍ଗବାଡ଼ିରେ ବସ୍‌ଷ୍ଟାଣ୍ଡ ନିର୍ମାଣ ସହ ପାଟାବାନ୍ଧା, ମିଡିୟୁ ବାନ୍ଦା ଜଳ ପ୍ରପାତ, ହିଲଭିୟୁ ପାର୍କ ନିର୍ମାଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଅଞ୍ଚଳରେ ମୁଖ୍ୟ ସମସ୍ୟା ବିଶେଷ କରି ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ତୁରନ୍ତ ସିର୍ତ୍ତିଗୁଡ଼ା ଗ୍ରୀଡ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ କରି କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ୫-ଟି ସଚିବଙ୍କ ସହ ତତ୍କାଳ ବାଲିଗୁଡ଼ା ଉପଜିଲ୍ଲପାଳ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!