ଦୁଇ ଦିନିଆ କନ୍ଧମାଳ ଗସ୍ତରେ ୫-ଟି ସଚିବ : ମା’ ବରାଳ ଦେବୀ ମନ୍ଦିର ରୂପାନ୍ତରୀତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ୫-ଟି ସଚିବ ଭି.କେ.ପାଣ୍ଡିଆନ କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ । ଗସ୍ତର ପ୍ରଥମ ଦିନରେ ସେ ୫ ଗୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମ ଦିନର ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ମା’ ବରାଳ ଦେବୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ତାରା ତାରିଣୀ ମନ୍ଦିର ରୂପାନ୍ତରୀତ ହେବା ଭଳି ମା’ ବରାଳ ଦେବୀ ମନ୍ଦିର ୮ ମାସ ମଧ୍ୟରେ ରୂପାନ୍ତରୀତ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରତିଶୃତି ଦେଇଥିଲେ । ମନ୍ଦିର କିଭଳି ପୂର୍ବାପେକ୍ଷା ଅଧିକ ସୁନ୍ଦର ଦେଖାଯିବ ଏବଂ ଭକ୍ତମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖାଯିବ ସେଥିପାଇଁ ଜିଲ୍ଲାପାଳଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଫୁଲବାଣୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସାମାଜିକ ସଂଗଠନ ଏବଂ ଜନସାଧାରଣଙ୍କ ସହିତ ଆଲୋଚନା କରି ସେମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ । କନ୍ଧମାଳବାସୀଙ୍କ ଦୁଃଖ ଏବଂ ସମସ୍ୟା ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି ବୋଲି ପ୍ରକାଶ କରିବା ସହିତ ଚାଷୀମାନଙ୍କର ସମସ୍ୟା ଓ ଧର୍ମାନୁଷ୍ଠାନ ଗୁଡ଼ିକର ଉନ୍ନତିକରଣ ନେଇ ଯାହାବି ପ୍ରସ୍ତାବ ଦିଆଯାଇଛି ଖୁବ୍ ଶୀଘ୍ର ମଞ୍ଜୁର କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଫୁଲବାଣୀ ନୂଆ ବସଷ୍ଟାଣ୍ଡ ପରିଦର୍ଶନ କରି ତା’ର ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ତେବେ, ଏହାର ସୌନ୍ଦର୍ଯ୍ୟକରଣ ତଥା ଯାତ୍ରୀମାନଙ୍କ ସୁବିଧାକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ କହିଥିଲେ । ସେହିପରି ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପାଣ୍ଡିଆନ୍ କନ୍ଧମାଳ ଜିଲାର ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକର ମାଷ୍ଟର୍ ହିସାବ ରକ୍ଷକ, ବ୍ୟାଙ୍କ ମିତ୍ର, ସିଆର୍‌ପି ଏବଂ ଅନ୍ୟାନ୍ୟ ମିଶନଶକ୍ତି କ୍ୟାଡର୍ ଗୁଡ଼ିକ ସହିତ ଆଲୋଚନା କରିଥିଲେ । ବହୁ ସଂଖ୍ୟାରେ ମା’ମାନଙ୍କୁ ଦେଖି ସେ ଅତ୍ୟନ୍ତ ଖୁସି ହୋଇଥିଲେ । ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ମାଆମାନେ ଅବଗତ ଅଛନ୍ତି କି ନାହାନ୍ତି ପଚାରି ବୁଝିଥିଲେ । ଜିଲ୍ଲା ସଦର ମହକୁମାରେ ଏକ କୋଟି ଟଙ୍କା ଓ ପ୍ରତି ବ୍ଲକ ସଦର ମହକୁମାରେ ୫୦ଲକ୍ଷ ଟଙ୍କାର ମିଶନଶକ୍ତି ଭବନ ନିର୍ମାଣ, ଫେଡେରେସନ୍ ପାଇଁ ଗାଡ଼ି ବ୍ୟବସ୍ଥା, ପଞ୍ଚାୟତରେ ଥିବା ଯେ କୌଣସି ଅବ୍ୟବହୃତ କୋଠା ଓ ଆସବାବ ମିଶନ ଶକ୍ତିକୁ ହସ୍ତାନ୍ତର, ସମସ୍ତଙ୍କୁ ସ୍ମାର୍ଟକାର୍ଡ ପ୍ରଦାନ, ଏଥିରେ ସାମିଲ ନ ହୋଇଥିବା ମାଆ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରିବା ଆଦି ବିଷୟରେ ସେ ସୂଚନା ପ୍ରଦାନ କରିଥିଲେ । ମିଶନଶକ୍ତି ପଛରେ ନିଜେ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ସେ କହିଥିଲେ । ଫେଡେରେସନ୍ କର୍ମଚାରୀଙ୍କ ପାଇଁ ଖୁସି ଖବର ଖୁବ୍ ଶୀଘ୍ର ସରକାରଙ୍କ ଦ୍ୱାରା ଦିଆଯିବ ବୋଲି ସେ କହିଥିଲେ । ପ୍ରଥମ ଦିନ ଗସ୍ତର ଶେଷରେ ଶ୍ରୀ ପାଣ୍ଡିଆନ୍ ଫୁଲବାଣୀସ୍ଥିତ ପୁଲିସ୍ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାର ସମସ୍ତ କଲେଜକୁ ସ୍କୁଲ ରୂପାନ୍ତରଣ ପରି ସ୍ମାର୍ଟ କ୍ଲାସ୍, ଇ-ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା ସହିତ କଲେଜ ଗୃହ ରୂପାନ୍ତରୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ସବୁ କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରାଯିବ ଏବଂ ନୂଆ ବର୍ଷରୁ ନୂଆ ପ୍ଲାଟଫର୍ମରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଦିନ ରାତି କଠିନ ପରିଶ୍ରମ କରି ନିଜ ନିଜର ସ୍ୱପ୍ନକୁ ସାକାର କଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ କହିଥିଲେ । ପିଲାମାନଙ୍କୁ ପ୍ରତିଦିନ ଶରୀର ପାଇଁ ୩୦ ମିନିଟ୍ ବ୍ୟାୟାମ ଓ ଉନ୍ନତ ମସ୍ତିଷ୍କ ପାଇଁ ୧୫ ମିନିଟ୍ ଧ୍ୟାନ ବା ଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରାଜେନ୍ଦ୍ର କୁମାର ରଞ୍ଜିତ୍ , ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ ବାଣୁଆ, ତହସିଲଦାର ଦୀନମଣି ନାୟକ, ମିଶନ ଶକ୍ତି ଜିଲ୍ଲା ସଂଯୋଜକ, ଓଏଲ୍ଏମ୍ ଜିଲ୍ଲା ସଂଯୋଜକଙ୍କ ସମେତ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ୫-ଟି ସଚିବଙ୍କ ସହିତ ଭିନଲ କ୍ରିଷ୍ଣା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ୍ ହୋଇଛନ୍ତି । ୫-ଟି ସଚିବଙ୍କ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ସ୍ୱାଗତ କରାଯାଇଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଯେଉଁ ସବୁ ସ୍ଥାନ ମାନଙ୍କରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ସେହି ସବୁ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଥିଲା । ଶୁକ୍ରବାର ପ୍ରଥମ ଦିନରେ ଫୁଲବାଣୀରେ ଏଭଳି ଭାବେ ଜନ ଗହଳି ହୋଇଥିବାର ଦେଖାଯାଇଛି । କରୋନେସନ୍ ପଡ଼ିଆଠାରେ ୫-ଟି ସଚିବ ବିଭିନ୍ନ ସ୍ଥାନକୁ ଯାଇ ଯୋଗଦେଇଥିବା ମହିଳାମାନଙ୍କ ସହିତ ସାକ୍ଷାତ କରିବା ସହିତ ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଶନିବାର ଦ୍ୱିତୀୟ ଦିନରେ ଫିରିଙ୍ଗିଆ, କ.ନୂଆଗାଁ, ବାଲିଗୁଡା, ଦାରିଙ୍ଗବାଡି, ଓ ଜି. ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.