- ୩ଟି ହାଇମାଷ୍ଟ ଲାଇଟ୍ ଏବଂ ୨ଟି କମ୍ୟୁନିଟି ସେଣ୍ଟର ଉଦ୍ଘାଟିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଜ ନିର୍ବାଚନ ମଣ୍ଡଳୀର ଦେଓଗାଁ ବ୍ଲକ ସ୍ଥିତ ସାରସମାଲ ପଞ୍ଚାୟତରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ସାରସମାଲ ପଞ୍ଚାୟତ ସରପଞ୍ଚ ଗୋପାଲ କୃଷ୍ଣ ବାଗଙ୍କ ଉପସ୍ଥିତିରେ ଚୋରମରାଠାରେ ୫ ଲକ୍ଷ ଏବଂ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି କମ୍ୟୁନିଟି ସେଣ୍ଟର ଯାହାକି ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରିଥିଲେ । ତାହା ଆଜି ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନ ପରବର୍ତ୍ତୀ ସଭାରେ ବିଧାୟକ ଶ୍ରୀ ମିଶ୍ର ଚୋରମରାର ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଆପତ୍ତି ଶୁଣିଥିଲେ । ମୁଖ୍ୟତଃ ରାସ୍ତା, ଇନ୍ଦିରା ଆବାସ, ବାଦ୍ଧକ୍ୟ ବର୍ତ୍ତା ଓ କଳାକାର ଭତ୍ତାକୁ ନେଇ ଲୋକେ ନିଜର ଅଭିଯୋଗ ଶୁଣାଇଥିଲେ । ଗାଁ ଭିତରେ ହୋଇଥିବା ବୈଠକରେ ଗାଁ ପିଲାମାନଙ୍କ ପାଇଁ ଏକ ଖେଳ ପଡିଆର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା । ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଜମି ଚିହ୍ନଟ ଦିଗରେ ଗାଁ ବାସୀମାନେ ତହସିଲ କର୍ମଚାରୀଙ୍କ ସାହାଯ୍ୟ ନିଅନ୍ତୁ, ଉପଯୁକ୍ତ ଜମି ଥିଲେ ଖେଳ ପଡିଆ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦିଆଯାଇଥିବା ମିଥ୍ୟା ପ୍ରତିଶୃତି ଏବଂ ରାଜ୍ୟ ସରକାର ବିଜେଡି ଦଳର ନେତାମାନଙ୍କର ନାରୀ ନିର୍ଯ୍ୟାତନାକୁ ନେଇ ଏମାନଙ୍କ ବିରୁଦ୍ଧରେ କୌଣସି ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଥିବାରୁ ସେଭଳିଆ ନେତାମାନେ ଆଗାମୀ ଦିନରେ ଏ ଅଞ୍ଚଳକୁ ଆସିଲେ ଗ୍ରାମବାସୀ ସେମାନଙ୍କୁ ନିଶ୍ଚିତ ଭାବରେ ଉଚିତ୍ ଜବାବ ଦେବେ ବୋଲି ଉପସ୍ଥିତ ମା’ ଭଉଣୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ସଚେତନ କରିଥିଲେ । ପରେ ପରେ ଅଫାମରା ଓ ସାରସମାଲ ଯାଇ ସେଠାରେ ନିଜ ବିଧାୟକ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଅନୁଦାନରେ ନିର୍ମିତ ତିନୋଟି ହାଇମାଷ୍ଟ ଲାଇଟ୍ର ସୁଇଜ୍ ଅନ୍ କରି ତାହାର ଲୋକାର୍ପଣ କରିଥିଲେ । ସାରସମାଲଠାରେ ନିର୍ମାଣାଧିନ ଥିବା ସିଲେଟକାନି ସାରସମାଲ ରାସ୍ତାରେ ସେତୁ ନିର୍ମାଣର ମନ୍ଥରତାକୁ ନେଇ ପ୍ରଶ୍ନ କରିଥିଲେ । ସାରସମାଲ ଏକ ପଞ୍ଚାୟତ ହେଡକ୍ୱାଟର ହୋଇଥିôବା ସତ୍ୱେ ସେଠାରେ ଏଏନ୍ଏମ୍ ସେଣ୍ଟର ନ ଥିବାରୁ ଏ ଅଂଚଳର ମା’ମାନେ ଅନ୍ୟ ପଂଚାୟତ ଉପରେ ନିର୍ଭର କରୁଥିବା ଅସୁବିଧାକୁ ବିଧାୟକ ଶ୍ରୀ ମିଶ୍ରଙ୍କୁ କହିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ଏହା ଉପରେ ସକରାତ୍ମକ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦେଇଥିଲେ । ପରେ ପରେ ଅଫାମରା ଗାଁରେ ମଧ୍ୟ ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ସାରସମାଲ ସରପଞ୍ଚ ଗୋପାଳ କୃଷ୍ଣ ବାଗ, ବ୍ଲକ କଂଗ୍ରେସ ସଭାପତି ରାମଜୀ ଚୌଧୁରୀ, କଂଗ୍ରେସ ନେତା କାନ୍ତେଶ୍ୱର ପ୍ରଧାନ, ଦିଲୀପ ସୁନା, କିଶୋର କ୍ଷେତୀ, ଗଦାଧର ପ୍ରଧାନ, ଭାଗବତ ମିଶ୍ର, ହେମନ୍ତ ଖମାରୀ, ପ୍ରଦୀପ ପ୍ରଧାନ, ମଦନ ସାହୁ, ଛାୟାକାନ୍ତ ଭୋଇ, ଚହଲୁ ପୋଡ, ଗୌତମ ନାଏକ, ଲାଲ ବଗର୍ତ୍ତି, ଜଗୁ ମେହେରଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।