ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ୨୬ ତାରିଖ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ବୃଦ୍ଧିପାଇଛି । ଏପରିକି ଜିଲ୍ଲାରେ ରାଜନୈତିକ ମହଲରେ ଚହଳ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଉଡ଼ାଣରେ ସଭା ସମାବେଶ ସ୍ଥଳକୁ ଆସି ଅବତରଣ କରିବାକୁଥିବା ବେଳେ ଜିଲ୍ଲାର ପ୍ରମୁଖ ସ୍ଥାନ ଯଥା କବିସୂର୍ଯ୍ୟନଗର ଏବଂ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି, ଜିଲ୍ଲା ସଦରମହକୁମା ଛତ୍ରପୁର ଅଞ୍ଚଳରେ ଚଳଚଞ୍ଚଳ ଦେଖାଦେଇଥିବା ଜଣାପଡିଛି । ବାସ୍ତବିକ ଦଳୀୟ ବିଜେଡି ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ ଦଳୀୟ ନେତ୍ତୃବର୍ଗଙ୍କ ଏକ ଅଭିନବ ପ୍ରଚେଷ୍ଟା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗଞ୍ଜାମ ଗସ୍ତ ଓ ସଭା ସମାବେଶରେ ଉଦ୍ବୋଧନ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବାକୁ ବିଜେଡ଼ି ରାଜନୈତିକ ପୁରୋଧାଗଣ ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀଙ୍କୁ ନାନା ଉପଦେଶ ଓ ପରାମର୍ଶ ଦେଇଛନ୍ତି । ଦଳୀୟ ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ନେଇ ଆଲୋଚନା କରି ନେତ୍ତୃବର୍ଗଗଣ ଫେରିଥିବା ଜଣାପଡିଛି । ବିଜେଡ଼ି ଦଳ ମଧ୍ୟରେ ରହିଥିବା ଫାଟ ଓ ଗୋଷ୍ଠୀ ବିବାଦକୁ ସମାଧନ କରିବା, ଦଳକୁ ମଜବୁତ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଏକ ସଫଳ ପ୍ରୟାସ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗତକାଲି ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ସର୍କିଟ ହାଉସକୁ ଏନେଇ ରାଜ୍ୟ ବିଜେଡ଼ି ଦଳୀୟ ପୁରୋଧା ପ୍ରଣବ ପ୍ରକାଶ ଦାସ (ବବି ଦାସ) ଯୋଗଦେଇ ଦଳୀୟ ସାଂଗଠନିକତା ନେଇ ଆଲୋଚନା କରିଥିଲେ ବୋଲି ଜଣାପଡିଛି । ଏ କ୍ଷେତ୍ରରେ ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଛତ୍ରପୁର ସ୍ଥିତ ସର୍କିଟ ହାଉସର ଏକ ରୁଦ୍ଧ କୋଠରୀରେ ଆଲୋଚନା କରି ଫେରିଥିଲେ ।
Next Post