ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ଏକ ବଡ ସଫଳତା । ବଲାଙ୍ଗିର ଦେଇ ଛତିଶଗଡ ରାଜ୍ୟର ରାଇଘରକୁ ଗଞ୍ଜେଇ ଚାଲାଣ ବେଳେ ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ଗଂଜେଇ ସହ ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଏକ ବିଶ୍ୱସ୍ତ ସୂତ୍ରରୁ ବଲାଙ୍ଗିର ସଦରଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କୁ ଖବର ମିଳିଥିଲା ଯେ, ପୁଲିସ ଆଖିରେ ଧୂଳି ଦେବା ପାଇଁ ଘରୋଇ ଆସବାବପତ୍ର ନେଇ ଆସୁଥିବା ଏକ ପିକ୍‌ଅପ୍‌ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି । ତେବେ ସଙ୍ଗେ ସଙ୍ଗେ ବଲାଙ୍ଗିର ସଦର ପୋଲିସ ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ରୋଡ ସ୍ଥିତ ବିଜାଖମନ ପଟ୍ରୋଲ ପମ୍ପ ନିକଟରେ ଏକ ବୋଲେରୋ ପିକଅପ୍‌ ଗାଡି ସିଜି ୧୩ଏ ୩୯୪୭କୁ ଅଟାଇବା ସହ ଚଢାଉ କରିଥିଲା । ଚଢାଉରେ ବୋଲେରୋ ପିକ୍‌ଅପ୍‌ ଗାଡିରେ ବଡ ବଡ ବାକ୍ସରେ ଭର୍ତ୍ତି ହୋଇଥିବା ୪ କୁଇଣ୍ଟାଲ ଗଞ୍ଜେଇକୁ ଜବତ କରିଥିବା ବେଳେ ଗଂଜେଇ ଚାଲାଣ ହେଉଥିବା ବୋଲେରୋ ପିକଅପ୍‌ ଗାଡିକୁ ମଧ୍ୟ ପୁଲିସ ଜବତ କରିଥିଲା । ତା’ ସହ ଗଞ୍ଜେଇ ଚାଲାଣ କରୁଥିବା ଓମ୍‌ ପ୍ରକାଶ ଛାବା ନାମକ ଜଣେ ପଞ୍ଜାବୀ ବ୍ୟକ୍ତିକୁ ଗିରଫ କରିଛି ପୁଲିସ । ତେବେ ଏହି ଗଂଜେଇ ରାୟଗଡରୁ ବଲାଙ୍ଗିର ଦେଇ ଛତିଶଗଡର ରାଇଘରକୁ ଚାଲାଣ ହେଉଥିଲା । ଚାଲାଣ ହେଉଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କାର ହୋଇଥିବା ବେଳେ ଜବତ ଗାଡିଟି ଓମପ୍ରକାଶ ଛାବାଙ୍କ ନାମରେ ରହିଛି ଓ ସେ ନିଜେ ଗାଡି ମଧ୍ୟ ଚଲାଉଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ମାଲାରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.