ବୋଲେରୋ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ : ୪ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ ଗତକାଲି ଏକ ବୋଲେରୋ ଗାଡ଼ି ଭିତରୁ ୩୯ କେଜି ୯୬୬ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ପୁଲିସ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ବୋଲେରୋକୁ ଜବତ କରି ଏଥିରେ ୪ ଜଣକୁ ଗିରଫ କରିଛି । ଗିରଫ ୪ ଅଭିଯୁକ୍ତ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲା ହସପୁର ଥାନା ଶଙ୍କରପୁର ଗ୍ରାମର ପ୍ରେମ କୁମାର (୨୪), ସଞ୍ଜିତ କୁମାର ଓରଫ୍ ଭୋଲା (୨୦), ଭରୁଣ ଥାନା ରକସାନି ଗ୍ରାମର ମୁକେଶ କୁମାର (୨୮) ଓ ଆରଓ୍ବାଲ ଜିଲ୍ଲା କାରପି ଥାନା ବାସନବିଘା ଗ୍ରାମର ରାନ୍ଧିର କୁମର (୩୩) ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ସିମିଳିଗୁଡା ଅଞ୍ଚଳରୁ ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲାର ଆମପାଣି, କୋକସରା, ଜୁନାଗଡ଼, ଭବାନୀପାଟଣା, କେସିଙ୍ଗା ଦେଇ ଜେଏଚ୍ ୦୧ ଆର୍ ୭୧୧୮ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡ଼ିରେ ବିହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ କୌଣସି ସୂତ୍ରରୁ ଖବର ପାଇ ସଂପୃକ୍ତ ବୋଲେରୋ ଗାଡ଼ିକୁ ଜାତୀୟ ରାଜପଥ ୨୬ ସ୍ଥିତ ତହସିର ଗାଁ ନିକଟରେ ଅଟକାଇ ଯାଞ୍ଚ କରିଥିଲା । ପୁଲିସର ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ଗଞ୍ଜେଇ ରହିଥିବା ନେଇ ଜଣାପଡିଥିଲା । ମାଜିଷ୍ଟ୍ରେଟ ଭାବରେ କେସିଙ୍ଗା ଅତିରିକ୍ତ ତହସିଲଦାର ରୁଦ୍ରମଣି ନାଏକଙ୍କ ଉପସ୍ଥିତିରେ ବୋଲେରୋ ଗାଡ଼ିର ଚେମ୍ବର ଭିତରୁ ଗଞ୍ଜେଇ ବାହାରିଥିଲା । ପୁଲିସ ସଂପୃକ୍ତ ଗଞ୍ଜେଇ ଓ ବୋଲେରୋ ଗାଡ଼ିକୁ ଜବତ କରି ଏକ ମାମଲା ରୁଜୁ କରିଥିବା ବେଳେ ୪ ଜଣକୁ ଗିରଫ କରି ତଦନ୍ତ ଜାରି ରହିଛି ବୋଲି ଆଇଆଇସି ସତ୍ୟ କୁମାର ନନ୍ଦ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.