oom

ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ : ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଗିରଫ

jsmm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପୁଲିସ ୫ଟି ଥାନା ଅଞ୍ଚଳରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ପ୍ରାୟ ୧୦ ହଜାର ୮୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ । ସେ ଅନୁଯାୟୀ, କନ୍ଧମାଳ ଏସ୍‌ପି ବି. ସି. ହରିଶ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଦାରୁଗୋଣ୍ଡା ଘାଟି ନିକଟ ଜଙ୍ଗଲରୁ ୬୫୨୦ କେଜି, ଫିରିଙ୍ଗିଆ ଥାନା ଅଧୀନରେ ଥିବା କାସିନପଦର ଗ୍ରାମ ପଞ୍ଚାୟତର ମାଜିପଡ଼ା ଜଙ୍ଗଲରୁ ୧୫୨୦ କେଜି, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଦ୍ରୁଜୁ ଗ୍ରାମ ପଞ୍ଚାୟତ ମିନିଆକଟି ଜଙ୍ଗଲରୁ ୨୦୫୨ କେଜି, ବାଲିଗୁଡ଼ା ଥାନା ଅଧୀନ ଜାକ୍ରିପଦା ଜଙ୍ଗଲରୁ ୬୫୦ କେଜି, ଟିକାବାଲି ଥାନା ଅନ୍ତର୍ଗତ ସୁନାପଙ୍ଗା ଗ୍ରାମ ନିକଟରୁ ୧୧୦ କେଜି ଜବତ କରାଯାଇଛି । ସମୁଦାୟ ୧୦, ୮୫୨ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଉପରୋକ୍ତ ସମସ୍ତ ମାମଲାର ତଦନ୍ତ ଜାରି ରହିଛି ଏବଂ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ନିଶା ବେପାରୀମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଏହି ଗଞ୍ଜେଇ ରଖି ଚୋରା ଚାଲାଣ କରୁଛନ୍ତି । ଏ ସମ୍ପର୍କରେ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା । ସୂଚନାଯୋଗ୍ୟ ଯେ, ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୁଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା ବେଳେ ଏହାକୁ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

jittmm
Leave A Reply

Your email address will not be published.