oom

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ : ଗାନ୍ଧୀ ଦର୍ଶନ ଓ ଚିନ୍ତନ ପ୍ରଚାର ପ୍ରସାର କରିବା ଉପରେ ଗୁରୁତ୍ୱାରୋପ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ସମାରୋହ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ୍‌ ପ୍ରଚାର କରାଯାଇଥିଲା । ପୂର୍ବାହ୍ନରେ ଗାନ୍ଧୀ ଭବନ ସମ୍ମୁଖସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଗାନ୍ଧୀନଗରପଡା ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପ୍ରତିମୂର୍ତ୍ତି ସ୍ଥଳରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରାର୍ଥନା ସଭାରେ ପଣ୍ଡିତ ସତ୍ୟବନ୍ତ ବେଦବାଗ୍‌ ଗୀତା ପାଠ କରିଥିଲେ, ମୌଲବୀ ମହମ୍ମଦ ମୋସାହିଦ ରାଜା କୋରାନ ପାଠ କରିଥିଲେ, ଗ୍ରନ୍‌ଥୀ ଜସବିର ସିଂ ଗ୍ରନ୍ଥ ସାହେବ ପାଠ କରିଥିଲେ ଏବଂ ଫାଦର ରିଜୁ ଦୀପ ପାଳକ ବାଇବେଲ୍‌ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ପୌରାଧ୍ୟକ୍ଷ୍ୟା ଉଦ୍‌ବୋଧନ ଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ସହ ଏହା ଅଧିକ ପ୍ରଚାର ହେବାର ଉଦ୍ୟମ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଲାଲ ବାହାଦୁର ଶାସ୍ତ୍ରୀଙ୍କ ସଂଘର୍ଷମୟ ଜୀବନ ଓ ତାଙ୍କ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଓ ଜୀବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ଓଡିଆ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶ୍ରେୟାଂଶ ଦଣ୍ଡସେନା, ଦମୟନ୍ତୀ ଖୁଆସ, ଦିବ୍ୟାଂଶୀ ପ୍ରିୟଦର୍ଶିନୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅଭୀପ୍ସା ମିଶ୍ର, ସାଇ ଶ୍ରୀରାମ ମିଶ୍ର, ଭେଙ୍କଟ ପ୍ରସାଦ ହୋତା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇ ପୁରସ୍କାର ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.