ଗନ୍ଧମାର୍ଦ୍ଦନ ପର୍ବତ ହରିଶଙ୍କର ମନ୍ଦିରକୁ ଇଉନେସ୍କୋ ବିଶ୍ୱ ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦାବୀ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲା ମଧ୍ୟ ଭାଗରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ପ୍ରାକୃତିକ, ସାଂସ୍କୃତିକ ଏବଂ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବାରୁ ଏହାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳି ଘୋଷଣା କରିବାକୁ ଦାବୀ କରିଥିଲେ । ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ପ୍ରକାଶ କରିଥିଲେ ଯେ, ୧୯ ହଜାର ହେକ୍ଟର ପରିସୀମା ବିଶିଷ୍ଟ ଗନ୍ଧମାର୍ଦ୍ଦନ ପର୍ବତରେ ବିଭିନ୍ନ ପ୍ରଜାତିର ବୃକ୍ଷଲତା ଔଷଧୀୟ ଗୁଳ୍ମ, ପଶୁପକ୍ଷୀ, ସରୀସୃପଙ୍କ ବାସସ୍ଥଳି । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗନ୍ଧମାର୍ଦ୍ଧନ ପର୍ବତକୁ ଜୈବ ବିବିଧତା ଧରୋହର ସ୍ଥଳ ଘୋଷଣା କରିଛନ୍ତି । ଗନ୍ଧମାର୍ଦ୍ଦନ ପର୍ବତର ଦକ୍ଷିଣ ଦିଗରେ ଅଙ୍ଗ ନଦୀ ପ୍ରବାହିତ ହେଉଥିବା ବେଳେ ଉତ୍ତର ଅଂଶରେ ସୁକତେଲ ନଦୀ ଶୋଭାବର୍ଦ୍ଧନ କରୁଛି । ଗନ୍ଧମାର୍ଦ୍ଦନ ପର୍ବତରୁ ୨୨ଟି ଝରଣା ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ପାପନାଶିନୀ ଝରଣାକୁ ଗୁପ୍ତଗଙ୍ଗା ଭାବରେ ଲୋକ ମାନ୍ୟତା ରହିଛି । ଭାରତର ଚାରିଧାମ ମଧ୍ୟରେ ହରିଶଙ୍କର ଏକ ପବିତ୍ର ଧାମ । ଗନ୍ଧମାର୍ଦ୍ଦନ ପର୍ବତକୁ ଓଡିଶାର ଆୟୁର୍ବେଦର ସ୍ୱର୍ଗ କୁହାଯାଏ । ସାଂସ୍କୃତିକ କ୍ଷେତ୍ରରେ ଗନ୍ଧମାର୍ଦ୍ଦନ ପର୍ବତର ଗୋଟିଏ ଦିଗରେ ଭଗବାନ ନୃସିଂହନାଥ ମନ୍ଦିର ବିରାଜମାନ ଥିବା ବେଳେ ଆଉ ଗୋଟିଏ ପଟେ ଭଗବାନ ହରିଶଙ୍କର ବିରାଜମାନ ଅଛନ୍ତି । ତ୍ରେତୟା ଯୁଗର ସୀତା କୁଣ୍ଡ, ଗୋକୁଣ୍ଡ, ଦ୍ୱାପର ଯୁଗର ଭୀମ ମଡୁଆ, ଭୀମ କୁଣ୍ଡ, ପଞ୍ଚୁ ପାଣ୍ଡଵ ଘାଟ ଆଦି କଳାକୃତି ରହିଛି । ପ୍ରାଚୀନ କାଳରୁ ମୁନୀ ରୁଷିମାନଙ୍କ ଗୁମ୍ଫା ଅବସ୍ଥିତ ଅଛି । ହରିଶଙ୍କର ମନ୍ଦିର ନିକଟରେ ହରିଣ ପାର୍କ ପ୍ରସିଦ୍ଧି ଲାଭ କରୁଛି । ତେଣୁ ସାଂସ୍କୃତିକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଗନ୍ଧମାର୍ଦ୍ଧନ ପର୍ବତ, ହରିଶଙ୍କର ମନ୍ଦିର ଏବଂ ନୃସିଂହନାଥ ମନ୍ଦିର ପୀଠକୁ ୟୁନେସ୍କୋ ବିଶ୍ୱ ପର୍ଯ୍ୟଟନ ସ୍ଥଳି ଘୋଷଣା କରିବା ସହିତ ହରିଶଙ୍କର ମନ୍ଦିରର ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନେବାକୁ ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ପ୍ରସଙ୍ଗ ଉପସ୍ଥାପନା କରିଥିଲେ ।

Leave A Reply

Your email address will not be published.