ଦେଓଗାଁ, (ମନୀଷ କୁମାର ସାହୁ) : ରଙ୍ଗର ପର୍ବରେ ଗାଁ ଦାଣ୍ଡରେ ଗର୍ଜିଥିଲା ବନ୍ଧୁକ । ଫୁଟିଥିଲା ଗୁଳି । ରଙ୍ଗଖେଳ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଝାମେଲା । ବନ୍ଧୁକରୁ ଗୁଳି ବାହାରିଥିଲେ ବି କାହାରି ଦେହରେ ବାଜି ନଥିବା ବେଳେ ଦୁଇ ଜଣ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବନ୍ଧୁକ ମଧ୍ୟ ଜବତ କରିଛି । ତେବେ ଜବତ ହୋଇଥିବା ବନ୍ଧୁକଟି ନକଲି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଦେଓଗାଁ ଥାନା ବନ୍ଧପଡ଼ା ପୁଲିସ ଫାଣ୍ଡି ଅଧୀନରେ ଥିବା ରାମଚନ୍ଦ୍ରପୁର ପଞ୍ଚାୟତର ଲୁହାଖାନ ଗାଁରେ ରଙ୍ଗ ଖେଳର ପ୍ରଶେସନ ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଯୁବକ ଏକ ଦେଶୀ ବନ୍ଧୁକ ବାହାର କରି ଫାୟାରିଂ କରିଥିଲେ ବି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନଥିଲା ଗୁଳି । ତେବେ ଗାଁ ଦାଣ୍ତରେ ଗର୍ଜ୍ଜିଥିବା ବନ୍ଧୁକକୁ ଗାଁ ଲୋକେ ଜବତ କରିଥିଲେ । ହେଲେ ବନ୍ଧୁକ ଗର୍ଜ୍ଜିବାକୁ ଦେଓଗାଁ ପୁଲିସ ଖଣ୍ଡନ କରିଛି । ତେବେ ଗାଁକୁ ବନ୍ଧପଡ଼ା ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ଏନେଇ ଲିଖିତ ଅଭିଯୋଗ ହେବାପରେ ପୁଲିସ ଲୁହାଖାନ୍ ଓ ମାଟୁପାଲି ଗାଁର ନକୁଳ ଭୋଇ ଓ ଶୁଭମ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Prev Post