ସିଲେଟକାନୀରେ ଗ୍ରାମ୍ୟ ଗଣ୍ଡଗୋଳ, ରାସ୍ତା ଉପରେ କାନ୍ଥଦେଇ ଗୋଟିଏ ପରିବାରକୁ ବାସନ୍ଦ : ବିବାଦ ବଢାଉଛି ପୋଲିସର ଭୂମିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର ସିଲେଟକାନୀ ଗାଁରେ ଗ୍ରାମ୍ୟ ଗଣ୍ଡଗୋଳକୁ ନେଇ ରାସ୍ତା ଉପରେ ଇଟାବାଡ ଦେଇ ଗୋଟିଏ ପରିବାରକୁ ବାସନ୍ଦ କରାଯାଇଥିବା ଭଳି ଅଭିଯୋଗ ଆସିଛି । ଜିତେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କ ପରିବାରକୁ ସେହି ପଡାର କିଛି ଗୁଣ୍ଡା ଶ୍ରେଣୀୟ ଲୋକ ବାସନ୍ଦ କରିବାକୁ ସେହିପଡାକୁ ଯାଇଥିବା ରାସ୍ତାରେ ଇଟାରେ ବାଡଦେଇ ରାସ୍ତା ଅବରୋଧ କରିଛନ୍ତି । ଏପରିକି ତିନିରୁ ଚାରିଥର ଜିତେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇ ଆକ୍ରମଣ ହୋଇଥିବାରୁ ସେମାନଙ୍କ ପରିବାର ବର୍ଗ ଭୟରେ ଘର ଭିତରେ ରହିଛନ୍ତି । ସେପଟେ ପୋଲିସରେ ଏନେଇ ଅଭିଯୋଗ ହୋଇଥିଲେ ହେଁ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । କିଛି ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ପୋଲିସ ଓଲଟା ଜିତେନ୍ଦ୍ରଙ୍କ ପରିବାରଙ୍କୁ ଧମକ ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି । ମିଳିଥିବା ଅଭିଯୋଗରୁ ଜଣାଯାଇଛି ଯେ, ଜିତେନ୍ଦ୍ର ଦାସଙ୍କ ପରିବାର ସାଙ୍ଗରେ ସେହି ଗାଁର ନାରଦ ମେହେରଙ୍କ ପରିବାରର ଝଗଡା ଲାଗିରହୁଛି । ଗତ ୨୦୧୮ରେ ଜିତେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା ଓ ପୋଲିସରେ ମାମଲା ହୋଇଥିଲା । ପୁଣି ଗତ ୫ଦିନ ତଳେ ଜିତେନ୍ଦ୍ର ଘରେ ନଥିବା ବେଳେ ତାଙ୍କ ବୃଦ୍ଧ ମାଆବାପାଙ୍କୁ ଘରକୁ ପଶି ନାରଦ ମେହେର ଓ ଆଉ କିଛି ବ୍ୟକ୍ତି ଗାଳିଗୁଲଜ କରିଥିଲେ ଯାହାକୁ ନେଇ ଜିତେନ୍ଦ୍ର ଦେଓଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଉକ୍ତଦିନ ପୋଲିସ ମାମଲା ରୁଜୁ କରିବା ବଦଳରେ ଚାପଗ୍ରସ୍ତ ହୋଇ ମାମଲାର ଆପୋଶ ଆଲୋଚନାରେ ସମାଧାନ କରି ଫେରାଇ ଦେଇଥିଲା । କିନ୍ତୁ ଥାନାରୁ ଫେରିଲା ପରେ ନାରଦ ଓ ତାଙ୍କ ସହଯୋଗୀମାନେ ପୁଣି ରାତିରେ ଟାଙ୍ଗିଆ ଧରି ଆସି ଜିତେନ୍ଦ୍ରଙ୍କ ଘର ଉପରେ ଆକ୍ରମଣ କରିଥିଲେ । ସେ ବିଷୟରେ ପୋଲିସକୁ ଖବର କଲା ପରେ ମଧ୍ୟ କେହି ନଆସିବାରୁ ସେମାନେ ବାଧ୍ୟ ହୋଇ ପୋଲିସ ହେଲ୍ପଲାଇନ ୧୧୨କୁ କଲ କରି ଘଟଣା ବିଷୟରେ ଜଣାଇଥିଲେ । ଏହା କରିବା ଦ୍ୱାରା ସେଠାରୁ ନିର୍ଦ୍ଦେଶ ପାଇ ଦେଓଗାଁ ପୋଲିସ ପହଞ୍ଚିଥିଲା । କିନ୍ତୁ ଆକ୍ରମଣକାରୀଙ୍କୁ ଧରିବା ବଦଳରେ ଜିତେନ୍ଦ୍ର କାହିଁକି ୧୧୨କୁ ଫୋନ କଲ ବୋଲି କହି ଧମକ ଦେଇ ମାମଲାରେ ଫସାଇ କୋର୍ଟ ଚାଲାଣ କରିଦେବୁ ବୋଲି କହିଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିଥିଲେ ଓ ଏକ ମାମଲା ରୁଜୁ କରିଥିଲେ । କିନ୍ତୁ କୌଣସି ଅଭିଯୁକ୍ତ ଗିରଫ ନହେବାରୁ ଗୁରୁବାର ଦିନ ନାରଦ ମେହେର ଓ ତାଙ୍କ ସହଯୋଗୀ ଜିତେନ୍ଦ୍ରଙ୍କ ଘରକୁ ଯାଇଥିବା ରାସ୍ତାରେ ଇଟାବାଡ ଦେଇ ରାସ୍ତା ଅବରୋଧ କରି ଜିତେନ୍ଦ୍ରଙ୍କ ପରିବାରକୁ ବାସନ୍ଦ କରିଦେଇଛନ୍ତି । ସେହି ଗଳି ରାସ୍ତାର ଅଧା ପର୍ଯ୍ୟନ୍ତ ପଞ୍ଚାୟତ ପକ୍ଷରୁ କଂକ୍ରିଟ ହୋଇଥିବା ବେଳେ ବାକି ମାଟିରାସ୍ତା ରହିଛି । ଉକ୍ତ ରାସ୍ତାକୁ ୫୦ବର୍ଷରୁ ଅଧିକ ବର୍ଷ ହେବ ଲୋକମାନେ ବ୍ୟବହାର କରିଆସୁଛନ୍ତି । କିନ୍ତୁ ଏବେ ସେହି ରାସ୍ତା ଯେଉଁ ଜମି ଉପରେ ଯାଇଛି ତାହା ନାରଦ ମେହେରଙ୍କ ନାମରେ ଥିବା କହି ରାସ୍ତାକୁ ବାଡ ଦେଇଛନ୍ତି । ଫଳରେ ଜିତେନ୍ଦ୍ରଙ୍କ ପରିବାର ଘରୁ ବାହାରି ପାରୁନାହାଁନ୍ତି । ପୋଲିସ ଓ ତହସିଲଦାର ତୁରନ୍ତ ଏନେଇ ପଦକ୍ଷେପ ନିଅନ୍ତୁ ବୋଲି ଜିତେନ୍ଦ୍ର ଦାସ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.