ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗସ୍ତରେ ଥିବା ତାମିଲନାଡୁ ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ଚେନ୍ନାଇର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଏକ ୧୫ ଜଣିଆ ତାମିଲ ଗଣମାଧ୍ୟମ ପ୍ରତିନିଧି ଦଳ ୩ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଅଛନ୍ତି । ଗସ୍ତ ଅବସରରେ ଆଜି ଏହି ପ୍ରତିନିଧି ଦଳ ଭୁବନେଶ୍ୱର ଲୋକଭବନ ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ଭେଟିଛନ୍ତି । ଆଲୋଚନା ସମୟରେ, ମହାମହିମ ଓଡ଼ିଶାର ଦୃଢ଼ ଆର୍ଥିକ ସ୍ଥିରତା ଉପରେ ଆଲୋକପାତ କରିଥିଲେ । ରାଜ୍ୟକୁ ପ୍ରଚୁର ଖଣିଜ ସମ୍ପଦ, ବିଶେଷ କରି ଲୁହାପଥର ଏବଂ ବକ୍ସାଇଟ୍‌ରେ ପରିପୂର୍ଣ୍ଣ କ୍ଷେତ୍ର ଭାବେ ସେ ବର୍ଣ୍ଣନା କରିଥିଲେ । ରାଜ୍ୟପାଳ କହିଥିଲେ ଖଣିଜ ସମୃଦ୍ଧି ରାଜ୍ୟର ଦ୍ରୁତ ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି । ରାଜ୍ୟପାଳ ଓଡ଼ିଶାର ବକ୍ସାଇଟ୍‌ ସମ୍ପଦକୁ ଉପଯୋଗ କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଗତିଶୀଳ କରିବାରେ ନେସନାଲ୍‌ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ରାଜ୍ୟପାଳ କହିଥିଲେ, ଖଣିଜ ନୀତିରେ ପରିବର୍ତ୍ତନ କରାଯାଇ ରୟାଲ୍ଟି ବଦଳରେ ଖଣିଗୁଡ଼ିକର ନିଲାମ ଆରମ୍ଭ କରାଯାଇଛି । ଏହାଫଳରେ ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟ ଭାବରେ ଉଭା ହୋଇଛି । ଏହି ନୀତି ପରିବର୍ତ୍ତନ ରାଜ୍ୟ ରାଜକୋଷକୁ ମିଳୁଥିବା ରାଜସ୍ୱ ପ୍ରାୟ୧୨ ହଜାର କୋଟିରୁ ୫୦ ହଜାର କୋଟିକୁ ବୃଦ୍ଧି ପାଇଛି । ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ, ଭାରତୀୟ ରେଳବାଇ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାକୁ ରେଳଲାଇନ ମାଧ୍ୟମରେ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଆଞ୍ଚଳିକ ସଂଯୋଗୀକରଣ ଏବଂ ଆର୍ଥିକ ସମନ୍ୱୟରେ ଉନ୍ନତି ଲାଗି ମହତ୍ୱାକାଂକ୍ଷୀ ଯୋଜନା ବିଷୟରେ ସେ କହିଥିଲେ । ସ୍ୱର୍ଣ୍ଣ ଚତୁର୍ଭୁଜ ସମେତ ରାଜ୍ୟ ଦେଇ ଯାଇଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପ ଓଡ଼ିଶାର ସଡ଼କ ନେଟୱାର୍କ ଏବଂ ଲଜିଷ୍ଟିକ୍ସ ଇକୋସିଷ୍ଟମକୁ ସୁଦୃଢ଼ କରିଛି ବୋଲି ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ । ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ ଭୁବନେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଏହି କେନ୍ଦ୍ର ଶିଳ୍ପ ଆବଶ୍ୟକତା ସହିତ ବିଶ୍ୱସ୍ତରୀୟ ବୃତ୍ତିଗତ ତାଲିମ ପ୍ରଦାନ କରି ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ରାଜ୍ୟପାଳ ଓଡ଼ିଶାର ଜୀବନ୍ତ ସାଂସ୍କୃତିକ ଐତିହ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ କହିଥିଲେ, ପଟ୍ଟ ଚିତ୍ରକଳା ଏବଂ ଟେରାକୋଟା କାର୍ଯ୍ୟ ଭଳି ପାରମ୍ପରିକ କଳା ରୂପ ଗୁଡ଼ିକ ରାଜ୍ୟର ସମୃଦ୍ଧ କଳାତ୍ମକ ଐତିହ୍ୟକୁ ପ୍ରତିଫଳିତ କରିଥାଏ । ଏହାବ୍ୟତୀତ, ସେ ପ୍ରତିନିଧି ଦଳକୁ ଓଡ଼ିଶାର ସାମୁଦ୍ରିକ ଭିତ୍ତିଭୂମି ବିଷୟରେ ସୂଚନା ଦେଇ କହିଥିଲେ, ରାଜ୍ୟରେ ବର୍ତ୍ତମାନ ତିନୋଟି ବନ୍ଦର କାର୍ଯ୍ୟକ୍ଷମ ଅଛି ଯାହା ଏହାର ବାଣିଜ୍ୟ ଏବଂ ମାଲପରିବହନ କ୍ଷମତାକୁ ସୁଦୃଢ଼ କରୁଛି । ଏହି ଗସ୍ତ ଅବସରରେ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ, ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଗଣମାଧ୍ୟମ ପ୍ରତିନିଧି ଦଳର ପରିଦର୍ଶନର ଉଦ୍ଦେଶ୍ୟ ହେଉଛି କେନ୍ଦ୍ରସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ, ଶିଳ୍ପ ଅଭିବୃଦ୍ଧି, ପ୍ରଯୁକ୍ତି ବିଦ୍ୟା ଉନ୍ନତି ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଷୟରେ ତାମିଲ ଗଣମାଧ୍ୟମକୁ ପରିଚିତ କରାଇବା । ଏହି ଗସ୍ତ ଦ୍ୱାରା ଓଡ଼ିଶାର ବିକାଶ ଯାତ୍ରା, ଶିଳ୍ପ ସମ୍ଭାବନା, ପ୍ରଯୁକ୍ତି ବିଦ୍ୟା ନବସୃଜନ ଏବଂ ସାଂସ୍କୃତିକ ଐତିହ୍ୟ ବିଷୟରେ ତାମିଲ ଗଣମାଧ୍ୟମ ପ୍ରତିନିଧି ଅବଗତ ହୋଇପାରିବେ । ଏହା ସଚେତନତାକୁ ସୁଦୃଢ଼ କରିବା ସହିତ ଆନ୍ତଃରାଜ୍ୟ ବୁଝାମଣା ଏବଂ ଗଣମାଧ୍ୟମ ସମ୍ପର୍କ ବୃଦ୍ଧି କରିବ । କେନ୍ଦ୍ର ସରକାରଙ୍କ ପ୍ରମୁଖ ପଦକ୍ଷେପ ଏବଂ ଆଞ୍ଚଳିକ ବିକାଶ ସମ୍ପର୍କରେ ସାମ୍ବାଦିକମାନଙ୍କୁ କ୍ଷେତ୍ରୀୟ ଅଭିଜ୍ଞତା ପ୍ରଦାନ କରିବା ଲାଗି ଏହି ଗସ୍ତ ସହାୟକ ହେବ ।

Leave A Reply

Your email address will not be published.