ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଗଣଧାରଣାରୁ ଓହରିଲେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଳକ ମଧ୍ୟପୁର ଓ ଧୁମାଭଟାର ଗ୍ରାମବାସୀ ତାଙ୍କ ବଞ୍ଚିବାର ଅଧିକାର ସହ ପାନୀୟ ଜଳ ଯୋଗାଣ ଦାବୀରେ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗଣଧାରଣାରେ ବସିଥିଲେ । ଆଜି ଜିଲ୍ଲାପାଳଙ୍କଠାରୁ ସମସ୍ୟାର ସମାଧାନ ପାଇଁ ନିର୍ଭର ଯୋଗ୍ୟ ପ୍ରତିଶୃତି ପାଇବା ପରେ ଗ୍ରାମବାସୀ ଗଣଧାରଣା ଭଙ୍ଗ କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ପ୍ରତିଶୃତି ମୁତାବକ ୭ ଦିନ ମଧ୍ୟ ସମସ୍ୟାର ସମାଧାନ ନ କରି ପୁଣି ଟାଳଟୁଳ ନୀତି ଅବଲମ୍ବନ କରାଗଲେ ଲୋକେ ପୁଣି ରାଜରାସ୍ତାକୁ ଓହ୍ଲାଇ ଆଇନ ଭଙ୍ଗ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାଇ ଦେଇଛନ୍ତି । ଗତ ୧୮ ବର୍ଷ ହେଲା ବେଲପଡା ବ୍ଳକ ଅଧିନସ୍ଥ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀ ସ୍ୱଚ୍ଛ ପିଇବା ପାଣିରୁ ବଞ୍ଚିତ ରହିଛନ୍ତି । ପାଇପ ଯୋଗେ ପାଣିଯୋଗାଣର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଗ୍ରାମବାସୀ ପାଣି ପାଇଁ ଡହକ ବିକଲ ହେଉଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅଭିଯୋଗ କରିବା ସତ୍ୱେ କୌଣସି ସୁଫଳ ମିଳିପାରୁ ନଥିଲା । ଏଭଳି ସ୍ଥିତିରେ ଗ୍ରାମବାସୀ ସୋମବାର ଦିନ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଥିଲେ । ସେମାନଙ୍କର ବଞ୍ଚିବାର ଅଧିକାର ଓ ସ୍ୱଚ୍ଛପାଣି ପାଇବାର ଅଧିକାରର ଦାବୀ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଆଜି ଜିଲ୍ଲା ବିଜେପି ଦଳ ଧାରଣା ସ୍ଥଳକୁ ପହଞ୍ଚି ଧାରଣାକୁ ସମର୍ଥନ କରିଥିଲା । ବିଜେପିର ଦଳର କିଛି କର୍ମକର୍ତ୍ତା ଆସି ଗଣ ଧାରଣାରେ ସାମିଲ ହୋଇଥିଲେ । ପରେ ପରେ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କୁ ତାଙ୍କ କାର୍ୟ୍ୟାଳୟକୁ ଡକାଇ ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବା ନେଇ ନିର୍ଭର ପ୍ରତିଶୃତି ଦେଇଥିଲେ । ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଧାରଣା ଭଙ୍ଗ କରିଥିଲେ ।

Leave A Reply

Your email address will not be published.