ବରଗଡ, (ନିରୋଜ କୁୂମାର ପାଣୀ) : ୧୯୮୧ରେ ସ୍ୱାର୍ଗତ ଶିତିକଣ୍ଠ ପାଟ୍ଟଯୋଶୀଙ୍କ ଦ୍ଵାରା ପ୍ରତିଷ୍ଠିତ ଗ୍ରାମାଞ୍ଚଳର ଗରିବ ଖଟିଖିଆ, ନିଷ୍ପେସିତ ଜନଗଣଙ୍କ ସ୍ୱର ‘ଗଣ ଇସ୍ତାହାର’ର ପୁନଃ ପ୍ରକାଶନ ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଅଗଷ୍ଟ ୧୫ରେ ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପୁନଃ ପ୍ରକାଶନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଗଣଇସ୍ତାହାରର ମୁଖ୍ୟ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ସମ୍ପାଦକ ଡ. ପ୍ରଦୀପ କୁମାର ହୋତା ସଂଯୋଜନା କରିଥିଲେ । ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ବରିଷ୍ଠ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ର, ବରିଷ୍ଠ ଆଇନଜୀବୀ ଶିରିଷ ବଲ୍ଲଭ ମିଶ୍ର, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ପ୍ରମୁଖ ମଞ୍ଚାସୀନ ଥିଲେ । ଗଣଇସ୍ତାହାର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଶିତିକଣ୍ଠ ପାଟ୍ଟଯୋଶୀ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଥିଲେ । ଏକଦା ପ୍ରତ୍ୟେକ ପୁରପଲ୍ଲୀରେ ଜନମାନସରେ ଏକ ମୁଖ୍ୟ ସ୍ଥାନ ଅଧିକାର କରିଥିବା ଗଣଇସ୍ତାହାରର ଉତ୍ତରୋତ୍ତର ଶ୍ରୀବୃଦ୍ଧି କାମନା କରିଥିଲେ । ସଂପାଦକ ଡ ପ୍ରଦୀପ କୁମାର ହୋତା ସ୍ୱର୍ଗତ ଲେଙ୍କୁ ମିଶ୍ରଙ୍କ ଧର୍ମପତ୍ନୀ ଯଶୋଦା ମିଶ୍ରଙ୍କୁ ପୁନଃ ପ୍ରକାଶନ ଗଣଇସ୍ତାହାରର ପ୍ରଥମ କପିକୁ ପ୍ରଥମେ ପ୍ରଦାନ କରିଥିଲେ । ସଂପ୍ରତି ଇଣ୍ଟରନେଟ ଯୁଗ ହେତୁ ଖୁବ ଶୀଘ୍ର ଡିଜିଟାଲ ମାଧ୍ୟମରେ ଲୋକ ପାଖକୁ ଗଣଇସ୍ତାହାର ଖବର ପହଞ୍ଚିପାରିବ ଏବଂ ପୂର୍ବବତ ସାଲିସବିହୀନ ନିରପେକ୍ଷ ଖବର ପ୍ରକାଶ କରିବ ବୋଲି ସଂପାଦକ ଡ. ହୋତା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକ, ଖବରକାଗଜ ପ୍ରେମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଉପସ୍ଥିତ ଥିଲେ ।