ବଲାଙ୍ଗିର, (କେପିଏନ୍ଏସ୍) : ଗଳ୍ପ କେବଳ ଆନନ୍ଦ ପାଇଁ ନୁହେଁ,ବରଂ ଗଳ୍ପରେ ଥିବା ଭାବଭୂମି ସମସାମୟିକ ଜୀବନକୁ ନେଇ ଓ ସାଂପ୍ରତିକ ସମୟକୁ ପ୍ରଭାବିତ କରିବାକୁ ଉଦ୍ଦିଷ୍ଟ । ଗାଳ୍ପିକ ପ୍ରଦୀପ ମହାପାତ୍ରଙ୍କ ଗଳ୍ପରେ ଆଧୁନିକତା ନାମରେ ନାହିଁ ଉଶୃଙ୍ଖଳତା, ରହିଛି ନୀତିନିଷ୍ଠ ଭାବ । ପ୍ରେମର ବିଭିନ୍ନ ସ୍ୱରୂପ । ଆଜିର ସମୟର ସୁନ୍ଦରତମ ଉପଲବ୍ଧିର ସ୍ୱର ବୋଲି ସ୍ଥାନୀୟ ହୋଟେଲ ତ୍ରିବେଣୀ ଠାରେ କବି ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗାଳ୍ପିକ ପ୍ରଦୀପ ମହାପାତ୍ରଙ୍କ ‘ହଜି ହଜି ଯାଉଥିବା ଏକ ପୃଥିବୀ ସଂପର୍କରେ’ ଗଳ୍ପ ସଂକଳନର ଉନ୍ମୋଚନ ସମାରୋହରେ ଏହି ମତ ପ୍ରକାଶ ପାଇଛି । ସନ୍ଦୀପ କୁମାର କୁଅଁରଙ୍କ ସଭା ସଂଯୋଜନାରେ ସରସ୍ଵତୀଙ୍କ ପୂଜନ ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପରେ ଗାଳ୍ପିକ ପ୍ରଦୀପ ମହାପାତ୍ର ତାଙ୍କର ଗଳ୍ପ ଲେଖାର ବିଭିନ୍ନ ସ୍ୱଭାବ ସୁଲଭ ଅନୁଭବ ସଂପର୍କରେ ଉପସ୍ଥାପନ କରିଥିଲେ । ପରେ ପରେ ଗଳ୍ପ ସଙ୍କଳନ ‘ହଜି ହଜି ଯାଉଥିବା ଗୋଟିଏ ପୃଥିବୀ ସଂପର୍କରେ’କୁ ପାଠକାର୍ପଣ କରିଥିଲେ ଅତିଥିମାନେ । ଅତିଥି ଆଲୋଚକ ପ୍ରମେୟ ଦୈନିକର କେବିକେ ସଂସ୍କରଣ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା ଗାଳ୍ପିକ ପ୍ରଦୀପ ମହାପାତ୍ରଙ୍କ ଗଳ୍ପରେ ଥିବା ସାମାଜିକ ସମସ୍ୟା, ସମ୍ବେଦନଶୀଳ ପ୍ରସଙ୍ଗ ଉପସ୍ଥାପନ କରି ତାଙ୍କ ଗଳ୍ପର ସ୍ୱରକୁ ସୁକ୍ଷ୍ମ ବିଦ୍ରୋହର ସ୍ୱର ବୋଲି ମତ ଦେଇଥିବା ବେଳେ ଅନ୍ୟତମ ଆଲୋଚକ ‘କୋଶଳ ପ୍ରବାହ’ର ସଂପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଗାଳ୍ପିକ ପ୍ରଦୀପଙ୍କ ଗଳ୍ପ ରଚନାର ବିସ୍ତୃତ ପରିସରକୁ ଆଲୋଚନା କରି ଗଳ୍ପ ଭିତରେ ଚରିତ୍ରମାନଙ୍କ ବିଶେଷତାଗୁଡ଼ିକୁ ଉପସ୍ଥାପନ କରିଥିଲେ । କଥାଶିଳ୍ପୀ ଡାକ୍ତର ମଞ୍ଜୁବାଳା ପଣ୍ଡା ଗାଳ୍ପିକ ଶ୍ରୀ ମହାପାତ୍ରଙ୍କ ଗଳ୍ପ ଭିତରେ ଜୀବନର ସୁସଂହତ ଧାରା ସମାଜ ପାଇଁ କେତେ ଜରୁରୀ, ତାହାକୁ ଉପସ୍ଥାପନ କରିଥିଲେ । ସଭାପତି ଅଭିଭାଷଣରେ କବି ବିଜୟ କୁମାର ତ୍ରିପାଠୀ ଗଳ୍ପରେ ଥିବା ବିଭିନ୍ନ ସ୍ୱତନ୍ତ୍ରତା ସଂପର୍କରେ ଆଲୋକପାତ କରିଥିଲେ ।
Prev Post