ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୋୱେର ବସଷ୍ଟାଣ୍ଡ ସ୍ଥିତ ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ରବିବାର ମଧ୍ୟାହ୍ନରେ ପରିସମାପ୍ତି ଘଟିଛି । ଗତ ୬ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇ ଆସିଥିବା ଧନାଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପାର୍ବଣ ଖୁବ୍ ଉତ୍ସବମୁଖର ହୋଇଉଠିଥିଲା । ଦୈନିକ ସନ୍ଧ୍ୟାବେଳେ ଦେବୀଙ୍କ ୧୦୮ ଆରତୀ ବନ୍ଦାପନା ସମୟରେ ଅଗଣିତ ଭକ୍ତଗଣଙ୍କ ସମାଗମ ହୋଇଆସୁଥିଲା । ମା’ ଗଜଲକ୍ଷ୍ମୀ ଦେବୀଙ୍କ ଷୋଡ଼ଶ ଉପଚାରରେ ବିଧିବଦ୍ଧ ପୂଜା ଆରାଧନା, ହୋମ, ଯଜ୍ଞ, ଦୈନିକ ରାତ୍ରି ୧୧ ଘଣ୍ଟା ସମୟରେ ଦେବୀଙ୍କ ହୋମ, ପୂର୍ଣ୍ଣାହୁତି, ଶେଷରେ ପହୁଡ଼ ଆଳତି, ଅନ୍ନଭୋଗ ଅର୍ପଣ ଆଦି ସମାହିତ ହୋଇ ଆସୁଥିବା ବେଳେ ଶନିବାର ଦିନ ଗଜଧାରିଣୀ ଲକ୍ଷ୍ମୀ (ମୃଣ୍ମୟୀ) ଦେବୀଙ୍କ ଅସ୍ଥାୟୀ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ, ଅନ୍ନ-ଯଜ୍ଞ, ଘୃତଯଜ୍ଞ, ଜ୍ଞାନଯଜ୍ଞ ଆଦି ଆୟୋଜିତ ହୋଇଥିବା ବେଳେ ସ୍ଥାନଟି ମୁଖରୀତ ହୋଇ ଉଠିଥିଲା । ସମାଜସେବୀ ଦୀପକ ମୁଦୁଲି ଶେଷ ଦିନର ଏହି ବ୍ୟାପକ ଆୟୋଜନର ସୌଜନ୍ୟତା ମଣ୍ଡନ କରିଛନ୍ତି । ଏନେଇ ବହୁ ଲୋକ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ପାର୍ବଣ ପୂଜାରେ ଦୈନିକ ଜଣେ ଜଣେ କର୍ତ୍ତା ସୌଜନ୍ୟତା ହାସଲ କରିଆସୁଥିଲେ । ଉକ୍ତ ଅଞ୍ଚଳ ପରିସରରେ ସମାଗମ ହେଉଥିବା ଭକ୍ତମଣ୍ଡଳୀ ଏବଂ ଯାଅ ଆସ କରିଥିବା ଲୋକଙ୍କୁ ଏହି ପାର୍ବଣ ଉତ୍ସବରେ ଭକ୍ତିମୟ ପରିବେଶରେ ଆହ୍ଲାଦିତ କରିଦେଇଥିଲା । ଦୈନିକ ସ୍ଥାନଟି ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଉଠୁଥିଲା । ଇତିମଧ୍ୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ପ୍ରମୁଖ ସମ୍ମାନନୀୟ ଗଣ୍ୟମାନ୍ୟ ବ୍ୟକ୍ତି, ଅତିଥି ପ୍ରମୁଖ ଯୋଗଦେଇ ପାର୍ବଣ ସନ୍ଧ୍ୟାରେ ଯୋଗଦେଇ ମା’ ଙ୍କ ବିଭୂକୃପା ଲାଭ କରିଥିଲେ । ରବିବାର ମଧ୍ୟାହ୍ନରେ ମା’ ଗଜଲକ୍ଷ୍ମୀଙ୍କ ମେଲାଣି ସମାହିତ ହୋଇଯାଇଛି । ସମସ୍ତଙ୍କ ମନରେ ଦୁଃଖଦ ସହ ସ୍ଥାନଟି ନୀରବି ଯାଇଛି । ପୂଜା ପାର୍ବଣ କମିଟି କର୍ମକର୍ତ୍ତା ନେତ୍ତୃବର୍ଗଙ୍କ ପକ୍ଷରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ପ୍ରତୀକ୍ଷା ନିମନ୍ତେ ମା’ଙ୍କ ଠାରେ ଆତ୍ମ ସମର୍ପଣ କରି ବିଦାୟ ଜଣାଇଛନ୍ତି ।