‘ରଚନା’ର ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଆ କାବ୍ୟ ପରମ୍ପରାର ସ୍ଥିତି, ଗତି ଓ ପ୍ରକୃତି ଅତ୍ୟନ୍ତ ସୁଦୃଢ ଓ ଶକ୍ତିଶାଳୀ । ଆମ କାବ୍ୟକବିତାର ବିଷୟବସ୍ତୁ ଓ ଏଥିରେ ସନ୍ନିବେଶିତ ବିଭିନ୍ନ କାବ୍ୟରସ ସମାଜର ବିଭିନ୍ନ ବର୍ଗର ମାନସିକତା ଅନୁଯାୟୀ ଉପଯୋଗୀ ଓ ହୃଦୟଗ୍ରାହୀ ହୋଇପାରିଛି । କେବେ ଏହାର ସାଙ୍ଗିତୀକତା ଆମର ମନ ମୋହିଛି ତ ଆଉ କେବେ ଏହାର ବାକ୍ ରୀତି ଆମର ଏକାନ୍ତ ଅନ୍ତରଙ୍ଗ ମନେହୋଇଛି । ବଲାଙ୍ଗିରର ‘ରଚନା’ ଅନୁଷ୍ଠାନ ଦ୍ୱାରା ଆୟୋଜିତ “ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା”ରେ “ଆମ କାବ୍ୟକବିତାର ଭାବଭୂମି” ବିଷୟରେ ଏକ ବିସ୍ତୃତ ବ୍ୟାଖ୍ୟା ପ୍ରଦାନ କରି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଓଡିଆ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ବଳଭଦ୍ର ଦାଶ ଏଭଳି ମତ ପ୍ରକାଶ କରିଛନ୍ତି । ବଲାଙ୍ଗିରର ଜଣାଶୁଣା କବି, ଗାଳ୍ପିକ ଓ ଚିତ୍ରଶିଳ୍ପୀ ଗଗନ ସ୍ୱାଇଁଙ୍କ ଜନ୍ମଦିନ ଅବସରରେ ଅନୁଷ୍ଠିତ ଏହି ସଭାରେ ‘ରଚନା’ର ସଭାପତି ସନାତନ ଠାକୁର ଅଧ୍ୟକ୍ଷତା କରିଥିଲେ ଏବଂ ସମ୍ପାଦକ ଭାଗୀରଥି ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଭକ୍ତି ଗୀତ ପରିବେଷଣ କରିଥିଲେ ଏବଂ କବି ଆନନ୍ଦ ଚନ୍ଦ୍ର ସାହୁ, କବି ଝରଣା ସାହୁ, କବି ରାଜୀବ ଲୋଚନ ଆଚାର୍ଯ୍ୟ ଓ ଅଧ୍ୟାପକ କୌତୁକ ପନ୍ଦର ଗଗନ ସ୍ୱାଇଁଙ୍କ କବିତା ଓ ଗଳ୍ପ ପାଠ କରିଥିଲେ । ସୌମ୍ୟା ମଧୁପର୍ଣ୍ଣା ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା ଓ ‘ରଚନା’ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସାହିତ୍ୟ-ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.