ଅଏଁଲାସାରି ଗାଁରେ ଜମି ପାଇଁ ଗଡ଼ିଲା ମୁଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ପାଇଁ ଗଡ଼ିଲା ମୁଣ୍ଡ । ଜମି ବିବାଦର ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । କାକା ପୁଅ ଭାଇର ଟାଙ୍ଗିଆ ଚୋଟରେ ଜଣେ ଭାଇର ମୃତ୍ୟୁ ଘଟିଛି ଆଜି ସକାଳ ୬ଟା ସମୟରେ । କାକାଙ୍କ ପରିବାର ଲୋକେ ହତ୍ୟା କରିଛନ୍ତି ପୁତୁରାଙ୍କୁ । ଏଭଳି ଏକ ନୃଶଂସ ଘଟଣା ଆଜି ସାରା ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ଅଏଁଲାସାରି ଗାଁରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜମି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି । ଘଟଣାରେ ପ୍ରାଣ ହରାଇଛନ୍ତି ସମୀର ଭୋଇ(୩୦) । ସମୀର ଓ ତାଙ୍କ କାକା କାଳିଆଙ୍କ ଭିତରେ ଦୀର୍ଘ ଦିନରୁ ଜମିବାଡ଼ିକୁ ନେଇ ବିବାଦ ଚାଲି ଆସିଥିବା ବେଳେ ଆଜି ସେହି ବିବାଦ ଭୟଙ୍କର ରୂପ ଧାରଣ କରି ଜୀବନ ନେଇଛି । ସମୀର ଓ କାଳିଆଙ୍କ ଭିତରେ ଆଜି ସକାଳ ୬ଟା ସମୟରେ ଜବର୍‌ଦସ୍ତ ବଚସା ହୋଇଥିଲା । ଏତିକି ବେଳେ କାଳିଆଙ୍କ ପୁଅ ଦୀପକ ହଠାତ୍‌ ସମୀରଙ୍କ ବେକରେ ଟାଙ୍ଗିଆ ଚୋଟ ମାରିଥିଲା । ଆକସ୍ମିକ ଟାଙ୍ଗିଆ ଚୋଟ ସମ୍ଭାଳି ନପାରି ଟଳି ଟଳିପଡ଼ିଥିଲେ ସମୀର । ଏହାପରେ କାଳିଆ ଓ ତାଙ୍କ ପତ୍ନୀ ମିଶି ବାଡ଼ି ଓ ଠେଙ୍ଗା ଧରି ପିଟିଥିଲେ । ଫଳରେ ଘଟଣାସ୍ଥଳରେ ସମୀରଙ୍କ ମୃତ୍ୟୁ ଘଟିଥିଲା । ପୁଇଁତଲା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଜୋର୍‌ସୋର୍‌ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଦୀପକ ଫେରାର୍‌ ଥିବା ବେଳେ କାକା କାଳିଆ ଓ ଖୁଡ଼ି ପଙ୍କଜିନୀ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.