ବଲାଙ୍ଗିର ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଶାଗୁଆନ ଗଛ କାଟିଲା କିଏ : ଖୋଜୁଛି ଜଂଗଲ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଇଓଙ୍କ କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛ କିଏ କାଟିଛି, ଏବେ ବଲାଙ୍ଗିର ଜଂଗଲ ବିଭାଗ ତନାଘନା ତଦନ୍ତ ଆରମ୍ଭ କରିଛି । ଏଥିରେ ବିଇଓଙ୍କ ସଂପୃକ୍ତି ରହିଛି ନା’ ଅନ୍ୟ କୌଣସି ବିଭାଗୀୟ କର୍ମଚାରୀଙ୍କ ହାତ ଅଛି, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଜଂଗଲ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କଟାଯାଇଥିବା ଶାଗୁଆନ ଗଛର କାଠ ବିଇଓ ଅଫିସ୍‌ ପରିସରରୁ ହିଁ ଉଦ୍ଧାର ହୋଇଥିବା ଯୋଗୁଁ ଏଥିରେ ବିଇଓଙ୍କ ସଂପୃକ୍ତିକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ବଲାଙ୍ଗିର ଜଙ୍ଗଲ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ୍‌ ହୋଇଥିଲା । ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାର(ଆଇଏଫ୍‌ଏସ୍‌)ଙ୍କ ନିର୍ଦ୍ଦେଶ କ୍ରମେ ଜଂଗଲ ବିଭାଗର ଏକ ଟିମ୍‌ ଚଢ଼ାଉ କରି କାର୍ଯ୍ୟାଳୟ ପରିସରରେ କଟା ଯାଇଥିବା ଶାଗୁଆନ ଗଛର ଷ୍ଟମ୍ପ୍‌ ଓ କାଠ ଠାବ କରିଥିଲେ । ଚଢ଼ାଉ ସମୟରେ ବିଇଓ ଅନୁପସ୍ଥିତ ଥିବା ଯୋଗୁଁ ଶାଗୁଆନ୍‌ ଗଛ କାଟିବାରେ କାହାର ହାତ ରହିଛି, ସେ ସଂପର୍କରେ ଜଣାପଡ଼ିନଥିଲା । କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏ ସଂପର୍କରେ କିଛି ଜାଣି ନଥିବା ଜଂଗଲ ବିଭାଗର ଚଢ଼ାଉ ଟିମ୍‌ ସାମ୍‌ନାରେ ପ୍ରକାଶ କରିଥିଲେ । ତେବେ ସୂଚନା ଅନୁସାରେ ସରକାରୀ କାର୍ଯ୍ୟାଳୟ ପରିସର ଭିତରେ ଶାଗୁଆନ ଗଛ କାଟିଲା କିଏ, ଏବେ ଖୋଜୁଛି ଜଂଗଲ ବିଭାଗ ।

Leave A Reply

Your email address will not be published.