କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳରେ ଜୁଲାଇ ପହିଲାରୁ ବନ ମହୋତ୍ସବ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ, ସମାଜସେବୀ, ପ୍ରକୃତିପ୍ରେମୀ, ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକରୁ ଅଧିକ ଗଛ ଲଗେଇବାକୁ କଣ୍ଟାବାଞ୍ଜି ବନ ବିଭାଗର ମିଳିତ ସହଯୋଗରେ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ବୃକ୍ଷ ରୋପଣ ଅଭିଯାନରେ ସାମିଲ ରହିଛନ୍ତି । ତେଣୁ ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ପ୍ରତ୍ୟେକ ଘରେ ଗଛଟିଏ ଅଭିଯାନର ଶୁଭାରମ୍ଭ କରିଛନ୍ତି । କଣ୍ଟାବାଞ୍ଜିର ସମାଜସେବୀ ଅମରଚନ୍ଦ ଶର୍ମାଙ୍କ ଘରକୁ ଯାଇ ଗୋଟିଏ ଅଁଳାଗଛ ଲଗେଇ ଥିଲେ । ପ୍ରତ୍ୟେକ ଘରେ ଅନ୍ତଃତ ଗୋଟିଏ ଗଛ ରହିବା ଜରୁରୀ ତେଣୁ ପ୍ରତିଦିନ କାମରେ ଆସୁଥିବା ଆମ୍ବ, ବେଲ, ନିମ୍ବ, ଅଁଳା ଓ ବରକୋଳି ଭଳି ଗଛ ବନବିଭାଗରୁ ଆଣି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ଘରବାଡିରେ ଲଗେଇବାର ବ୍ୟବସ୍ଥା କରାଯିବା ସହିତ ଯେଉଁମାନେ ଯୋଗାଯୋଗ କରିବେ ଅବିଳମ୍ବେ ତାଙ୍କ ପାଖରେ ଚାରା ପହଞ୍ଚିବ ବୋଲି ଶ୍ରୀ ଦାଶ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି, ଫରେଷ୍ଟର ବିନୋଦ କୁମାର ଧରୁଆ, ସମାଜସେବୀ ଆଶିଷ ଜୈନ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
Prev Post