କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

  • ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ଶସ୍ତା କ୍ରୀଡ଼ା ସାମଗ୍ରୀ ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବେ ଭାରତର ସାମର୍ଥ୍ୟକୁ ଗୁରୁତ୍ୱ
  • ଆଗାମୀ ଦଶନ୍ଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରର ରୂପାନ୍ତରଣ ପାଇଁ ‘ଖେଲୋ ଇଣ୍ଡିଆ ମିଶନ’ ଘୋଷଣା
  • ‘ଖେଲୋ ଇଣ୍ଡିଆ’ ମାଧ୍ୟମରେ ଆରମ୍ଭ ହୋଇଥିବା କ୍ରୀଡ଼ା ପ୍ରତିଭାର ବ୍ୟବସ୍ଥିତ ବିକାଶକୁ ଅଗ୍ରସର କରାଇବ ‘ଖେଲୋ ଇଣ୍ଡିଆ ମିଶନ’

ନୂଆଦିଲ୍ଲୀ, (ପିଆଇବି) : ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଏବଂ ଶସ୍ତା କ୍ରୀଡ଼ା ସାମଗ୍ରୀ କ୍ଷେତ୍ରରେ ଭାରତ ବିଶ୍ୱସ୍ତରୀୟ ହବ୍ ଉଭା ହେବାର ସମ୍ଭାବନାକୁ ବ୍ୟବହାର କରି, ଦେଶରେ କ୍ରୀଡା ସାମଗ୍ରୀ ପାଇଁ ଏକ ଉତ୍ସର୍ଗୀକୃତ ପଦକ୍ଷେପ ଆରମ୍ଭ ହେବାକୁ ଯାଉଛି । ଏହାକୁ ଆଖିରେ ରଖି କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ ଅବସରରେ ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଚଳିତ ବର୍ଷ ବଜେଟର ସ୍ତମ୍ଭ ଭାବେ ଘୋଷଣା କରାଯାଇଥିବା ୩ଟି କର୍ତ୍ତବ୍ୟ ଭିତରେ କ୍ରୀଡ଼ା କ୍ଷେତ୍ର ପ୍ରତି ଏହି ଘୋଷଣା ସର୍ବପ୍ରଥମ ସ୍ଥାନ ଗ୍ରହଣ କରିଛି । ଏହା ‘ଉତ୍ପାଦକତା ଏବଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରି ଏକ ଅସ୍ଥିର ବିଶ୍ୱ ପରିସ୍ଥିତିରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ବଜାୟ ରଖିବା’ ଦିଗରେ ପ୍ରେରିତ। ଏହିପରି ପଦକ୍ଷେପର ଲକ୍ଷ୍ୟ ହେଉଛି ଉଭୟ ଉପକରଣ ଡିଜାଇନ୍ ଏବଂ ମ୍ୟାଟେରିଆଲ୍ ସାଇନ୍ସ କ୍ଷେତ୍ରରେ ଉତ୍ପାଦନ, ଗବେଷଣା ଏବଂ ନବୋନ୍ମେଷକୁ ପ୍ରୋତ୍ସାହିତ କରିବା ।
କେନ୍ଦ୍ରୀୟ ବଜେଟରେ ଭାରତର କ୍ରୀଡ଼ା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନ୍ୟ ଏକ ପ୍ରମୁଖ ପ୍ରସ୍ତାବ ରଖାଯାଇଛି । ଶ୍ରୀମତୀ ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି, “କ୍ରୀଡ଼ା କ୍ଷେତ୍ର ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଚାକିରି କ୍ଷେତ୍ରରେ ଅନେକ ସୁଯୋଗ ପ୍ରଦାନ କରିଥାଏ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହୋଇଥିବା କ୍ରୀଡ଼ା ପ୍ରତିଭାର ବ୍ୟବସ୍ଥିତ ବିକାଶ ପ୍ରକ୍ରିୟାକୁ ଆଗକୁ ନେଇ, ଆଗାମୀ ଦଶନ୍ଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରର ରୂପାନ୍ତରଣ ପାଇଁ ମୁଁ ଏକ ‘ଖେଲୋ ଇଣ୍ଡିଆ ମିଶନ’ ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି ।” ଏହି ପଦକ୍ଷେପ ବଜେଟରେ ଦର୍ଶାଯାଇଥିବା ଦ୍ୱିତୀୟ କର୍ତ୍ତବ୍ୟ ଅର୍ଥାତ୍ ‘ଆମ ଲୋକଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସେମାନଙ୍କର ସାମର୍ଥ୍ୟ ବୃଦ୍ଧି କରି ସେମାନଙ୍କୁ ଭାରତର ସମୃଦ୍ଧି ପଥରେ ଶକ୍ତିଶାଳୀ ସହଭାଗୀ କରିବା’ ସହ ସମାନ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ।
ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ, ଖେଲୋ ଇଣ୍ଡିଆ ମିଶନ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ସହାୟତା କରିବ:
● ପ୍ରାଥମିକ, ମଧ୍ୟବର୍ତ୍ତୀକାଳୀନ ଏବଂ ଉଚ୍ଚ ସ୍ତରର ତାଲିମ କେନ୍ଦ୍ର ଦ୍ୱାରା ସମର୍ଥିତ ଏକ ସମନ୍ୱିତ ପ୍ରତିଭା ବିକାଶ ପଥ,
● କୋଚ୍ ଏବଂ ସହଯୋଗୀ କର୍ମଚାରୀଙ୍କ ବ୍ୟବସ୍ଥିତ ବିକାଶ,
● କ୍ରୀଡ଼ା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ,
● କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ମଞ୍ଚ ପ୍ରଦାନ କରିବା ପାଇଁ ପ୍ରତିଯୋଗିତା ଏବଂ ଲିଗ୍ଗୁଡ଼ିକର ଆୟୋଜନ; ଏବଂ,
● ତାଲିମ ଓ ପ୍ରତିଯୋଗିତା ଉଦ୍ଦେଶ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ।

Leave A Reply

Your email address will not be published.