ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ବ୍ଲକ ସାଲେଭଟା ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ବ୍ଲକ ଗାଁ ସାଥୀ (ମେଟ) ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଆନନ୍ଦ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ବଲାଙ୍ଗିର ସାଂସଦଙ୍କ ଆଗଲପୁର ବ୍ଲକ ପ୍ରତିନିଧି ବୈଶାଖୁ ପଟେଲ ଯୋଗ ଦେଇଥିଲେ । ଗାଁ ସାଥୀମାନେ ସରକାରଙ୍କ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟ କରୁଥିଲେ ହେଁ ସେମାନେ ରାଜନୈତିକ ଆକ୍ରୋଶର ଶିକାର ହେଉଛନ୍ତି । ଗାଁ ସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ସାଙ୍ଗକୁ ମାସିକ ପ୍ରୋତ୍ସାହନ ଦିଆଯିବା ପାଇଁ ବୈଠକରେ ଦାବୀ ହୋଇଥିଲା । ଏହି ଅବସରରେ ସାଂସଦ ପ୍ରତିନିଧି ଶ୍ରୀ ପଟେଲଙ୍କ ଜରିଆରେ ଗାଁ ସାଥୀ ସଂଘ ତରଫରୁ ବଲାଙ୍ଗିର ସାଂସଦଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ବୈଠକରେ ଶାନ୍ତି ପସାୟତ, ମନୋଜା ପଧାନ, ମୋହିନୀ ବିଶ୍ୱାଳ, ପାର୍ବତୀ ବାରିକ, କେଶବ ପଧାନ, ତରଣୀସେନ ନାଗ, କାମଦେବ ଶିକା, ପ୍ରଫୁଲ୍ଲ ବାଗ, ଭୋଜରାଜ ଧରୁଆ, ସଂଯୁକ୍ତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।