ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ସିଆର୍ପିଏଫ୍ ୧୮୯ ବାଟାଲିଅନ୍ ପକ୍ଷରୁ ୫ କିଲୋମିଟର ‘ଫ୍ରିଡମ୍ ରନ୍’ ଆୟୋଜିତ ହୋଇଯାଇଛି । ଆଜି ସକାଳ ୬ଟା୧୫ରୁ ୭ଟା ପର୍ଯ୍ୟନ୍ତ ପିଟି ରୁଟିନ୍ ଅନୁସାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇ ଜଣ ଅଧିକାରୀ ଓ ୫୨ ଜଣ ଯବାନ୍ ସାମିଲ ହୋଇଥିବା ସୂଚନାରେ କୁହାଯାଇଛି । ଏହି ଅବସରରେ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂ ମୌର୍ଯ୍ୟ ପ୍ରାରମ୍ଭିକ ଅଭିଭାଷଣ ରଖି ସ୍ୱାଧୀନତା ସଂଗ୍ରାମ ଓ ବୀର ଯବାନମାନଙ୍କ ଦେଶ ପାଇଁ ବଳିଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହ ଦୈନନ୍ଦିନ ବ୍ୟାୟାମ ଦ୍ୱାରା ସ୍ୱାସ୍ଥ୍ୟ ସମୃଦ୍ଧି ସଂପର୍କରେ ଆଲୋକପାତ କରି ପ୍ରତ୍ୟହ ଫ୍ରିଡମ୍ ରନ୍ର ଅଭ୍ୟାସ ରଖିବାକୁ ଉପସ୍ଥିତ ଯବାନ୍ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗଦାନକାରୀଙ୍କ ପାଇଁ ହଜାରେ ଟଙ୍କା ଓ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଯୋଗଦାନକାରୀଙ୍କ ପାଇଁ ୫୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ମଧ୍ୟ ଅଧିକାରୀଙ୍କ ଦ୍ୱାରା ମଂଜୁର କରାଯାଇଥିଲା ।