
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଆଜି ୫୬ତମ ସର୍ବଭାରତୀୟ ଇଂଜିନିୟରସ୍ କପ୍ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଖେଳ ସାଇଟ୍ ସଦାଇପାଲି ଓ ରକ୍ ଡାଇମଣ୍ଡ ବାଲାଘାଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଦାଇପାଲି ସାଇଟ ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା । ଖେଳଟି ଚିତ୍ତାକର୍ଷକ ହୋଇ ହଜାର ହଜାର ଦର୍ଶକଙ୍କୁ ଆନନ୍ଦ ଆଣି ଦେଇଥିଲା । ଖେଳ ପଡିଆକୁ ସୁସଜ୍ଜିତ କରି ଦର୍ଶକଙ୍କ ପାଇଁ ଆକର୍ଷଣୀୟ କରାଯାଇଛି । ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରାଣା ରାମଜୀ ଯୁବକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କୁ ସେମାନେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ଫୁଟବଲ ପ୍ରତିଯୋଗିତା କରି ଜିଲ୍ଲା ଗୌରବ ବଢାଉଛନ୍ତି ବୋଲି ପ୍ରଶଂସା କରିଥିଲେ । ସୂଚନା କ୍ରମେ ଜିଲ୍ଲାସ୍ତରରେ ଏହି ଟୁର୍ଣ୍ଣାମେଣ୍ଟଟି ୧୯୬୭ ମସିହାରୁ ଆରମ୍ଭ ହୋଇଥିଲା । ୧୯୭୮ ମସିହାରୁ ରାଜ୍ୟ ତଥା ୧୯୮୭ ମସିହାରୁ ସର୍ବଭାରତୀୟ ସ୍ତରରେ ରାମଜୀ ଯୁବକ ସଂଘ ଦ୍ୱାରା ଟୁର୍ଣ୍ଣାମେଣ୍ଟଟି ହୋଇଆସୁଛି । ଆସନ୍ତାକାଲି ଭାଇଜାକ ସିଟି ଫୁଟବଲ କ୍ଲବ ବିଶାଖାପାଟନମ୍ ସହ ସମ୍ବଲପୁର ଏଫ୍ସି ସହିତ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟୀର ଆବାହକ ଡ. ନାରାୟଣ ପ୍ରସାଦ ମିଶ୍ର ଜଣାଇଛନ୍ତି । ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ପାଇଁ ଲୋକନାଥ ସିଂହ, ଇଂ.ସନ୍ତୋଷ କୁମାର ବହ୍ମା, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ସୁନୀଲ ଚନ୍ଦ୍ର ବିଶ୍ୱାଳ, ନିଶାରକାନ୍ତ ନାଗ, ଅଶୋକ ପଧାନ ଆଦି ସହଯୋଗ କରୁଛନ୍ତି । ଖେଳ ସୁରେଶ ଦାସ, ସୁବ୍ରତ ପୁରୋହିତ, ଦେବାଶିଶ ବାଗ ଓ ସୁଧାଂଶୁ ସେଠ ରେଫରୀ ଭାବରେ ଖେଳ ପରିଚାଳନା କରିଥିଲେ । ସୁନୀଲ ଚନ୍ଦ୍ର ବିଶ୍ୱାଳ ମ୍ୟାଚ୍ କମିଶନରର ଦାୟୀତ୍ୱ ବହନ କରିଥିଲେ ।
