ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା ଫୁଟବଲ ଏସୋସିଏସନ୍ ଆନୁକୂଲ୍ୟରେ ୫ମ ବାର୍ଷିକ ରାଜ୍ୟସ୍ତରୀୟ ଅଷ୍ଟ୍ରେଲିଆନ ଫୁଟବଲ୍ ଚମ୍ପିୟାନସିପ୍ – ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଜୁନିଅର ବିଭାଗରେ କେବଳ ମୟୁରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲା ଏବଂ ସିନିଅର ବିଭାଗରେ ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, କଟକ, ଖୋର୍ଦ୍ଧା ଓ ଯାଜପୁର ସମେତ ମୋଟ ୮ ଟି ଜିଲ୍ଲା ଅଂଶଗ୍ରହଣ କରିଥିଲେ । ଜୁନିଅରରେ ମୟୁରଭଞ୍ଜ ଖୋର୍ଦ୍ଧା ଜିଲ୍ଲାକୁ ୧୪-୧ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଥିବା ବେଳେ ସିନିଅର ବିଭାଗରେ ମୟୁରଭଞ୍ଜ ଯାଜପୁର ଜିଲ୍ଲାକୁ ୨୦-୬ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ । ଜୁନିଅରରେ ଖୋର୍ଦ୍ଧାର ଅମିତ କୁମାର ଓ ସିନିଅରରେ ଯାଜପୁରର ରତ୍ନା ସିଂ ଶ୍ରେଷ୍ଠ ଖେଳାଳି ଭାବେ, ସବୁଠାରୁ ଅଧିକ ପଏଣ୍ଟ ଅର୍ଜନ କରିଥିବା ମୟୁରଭଞ୍ଜର ଦୀପକ କୁମାର ମାଝୀ ଏବଂ ସର୍ବାଧିକ ଗୋଲ କରିଥିବା ମୟୁରଭଞ୍ଜର ଗୋଇଚାନ୍ଦ ମାରାଣ୍ଡି ପୁରସ୍କୃତ ହୋଇଥିଲେ । ଜାତୀୟ ସ୍ତରୀୟ ରେଫେରୀ ଅମିତ ରୟ, ବିପ୍ଳବ ବିଶ୍ୱାସ, ରତନ ବାସୁ ଓ ସୁମନ ବିଶ୍ୱାସ ଖେଳ ପରିଚାଳନା କରିଥିବା ବେଳେ ରମେଶ ମୁର୍ମୁ ଧାରା ବିବରଣୀ ପ୍ରଦାନ କରିଥିଲେ ।
Prev Post