ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ଆର୍‌ଇସି ବା ବର୍ତ୍ତମାନର ଏନ୍‌ଆଇଟିରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଥିବା ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି । ନିଟ୍ରା ରାଉରକେଲା ଚାପ୍ଟରର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଅନୁପ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି, ଏନ୍‌ଆଇଟିର ନିର୍ଦ୍ଦେଶକ ତଥା ନିଟ୍ରାର ପୃଷ୍ଟପୋଷକ କେ ଉମାଶଙ୍କର ରାଓ ସମ୍ମାନିତ ଅତିଥି ଓ ନିଟ୍ରାର ସଭାପତି ଇଂ ଅଶୋକ ବାସା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇଂଞ୍ଜିନିୟରସ ଦିବସ ପାଳନର ଆବଶ୍ୟକତା ଓ ଭାରତରତ୍ନ ଇଂ ମୋକ୍ଷଗୁନ୍ଦମ ବିଶ୍ୱାସରାୟଙ୍କ ଜୀବନୀ ତଥା ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭୌମିକ ନିଜ ବକ୍ତବ୍ୟରେ କହିଲେ ଯେ, ଭାରତରତ୍ନ ଏମ୍‌ ବିଶ୍ୱାସରାୟଙ୍କ ଜୟନ୍ତୀକୁ ଆମେ ଇଂଞ୍ଜିନିୟରସ ଦିବସ ରୂପେ ପାଳନ କରିଆସୁଛୁ । ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ଆମେ କିପରି ସଫଳତା ପାଇ ପାରିବା ତାହା ଯୁବ ଇଂଞ୍ଜିନିୟରସଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ସେଥିପାଇଁ ଯୁବ ଇଂଞ୍ଜିନିୟରସ ମାନେ ପ୍ରୟାସ କରନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଓ ଓ ଶ୍ରୀ ବାସା ଭାରତରତ୍ନ ଇଂ ବିଶ୍ୱାସରାୟଙ୍କ ଜୀବନୀ ଓ ଆଦର୍ଶ ତଥା ଯୁବପିଢିଙ୍କ ଆହ୍ୱାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ନିଟ୍ରାର ଅଧ୍ୟକ୍ଷ ଇଂ ବିଶି ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସେ କହିଲେ ଯେ, ଇଂ ବିଶ୍ୱାସରାୟଙ୍କ ଭଳି ଇଂଞ୍ଜିନିୟର ଆଉ ବାହାରୁ ନାହାଁନ୍ତି । ସେଥିପାଇଁ କଠୋର ଅଧ୍ୟୟନ ସହ ଆତ୍ମସମୀକ୍ଷାର ବେଳ ପହଞ୍ଚିଛି । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱପ୍ନିଲ ଦାସ ଓ ତନ୍ମୟ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆର୍ଯ୍ୟନ ନାଗରାଜ ଓ ଅଶୋକ ଚକ୍ରବର୍ତ୍ତୀ, ଦ୍ୱିତୀୟ ରନର୍ସ ଅପ ଦିବ୍ୟାଶୁଂ ମହାନ୍ତି ଓ ଦିବ୍ୟଜ୍ୟୋତି ତରାଇଙ୍କୁ ସମ୍ମାନିତ ଅତିଥି ଶ୍ରୀ ରାଓ ତଥା ଜାତୀୟ ସ୍ତରରେ ତୃତୀୟ ରନର୍ସ ଅପ୍‌ ସିଦ୍ଧାର୍ଥ ରାୟ ଓ କ୍ରୀଷ୍ଣା ଆଦିତ୍ୟ ମହାନ୍ତିଙ୍କୁ ମୁଖ୍ୟ ଅତିଥି ଶ୍ରୀ ଭୌମିକ ପୁରସ୍କୃତ କରିଥିଲେ । ସପନ ମିଶ୍ର କୁଇଜ ମାଷ୍ଟର ଭାବେ ଓ ଇଂ ଅଜିତ ପୂଜାରୀ ସଂଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଆସନ୍ତା ଡିସେମ୍ବର ୨୮, ୨୯ ଓ ୩୦ ତାରିଖରେ ଏନ୍‌ଆଇଟି ଓ ନିଟ୍ରାର ମିଳିତ ସହଯୋଗରେ ଡାଏମଣ୍ଡ ଜୁବୁଲି ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ଶେଷରେ ରାହୁଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ଭୂଷଣ ମହାନ୍ତି, ଫକୀର ଚରଣ ମହାନ୍ତି, ବିମଳ ସାଦୁଆଲ, ବିନୟ ମହାନ୍ତି, କୁମାର ବେହେରା, ଭବାନୀ ପାଢୀ, ପ୍ରଫେସର ହୃଷି ନାୟକ, ପ୍ରଫେସର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.