ମୌଳିକ ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ ହଳଦୀ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

  • ଅଫିସ୍ ଅଛି ରହୁନାହାଁନ୍ତି ଅଧିକାରୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ସାଧାରଣ ଜନତା ସାମାନ୍ୟତମ ମୌଳିକ ଅଧିକାର ଓ ସୁବିଧା ସୁଯୋଗରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଥିବା ନେଇ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହଳଦୀ ଗ୍ରାମରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡିକ ଥିଲେ ମଧ୍ୟ ଏଠାରେ ଦାୟିତ୍ୱରେ ଥିବା ସଂପୃକ୍ତ ଅଧିକାରୀମାନେ ରହୁନଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ରମତେ ହଳଦୀ ଗ୍ରାମରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉପକେନ୍ଦ୍ର ଥାଇ ଜଣେ ଏଏନ୍‌ଏମ୍‌ କ୍ୱାଟର୍ସରେ ରହିବା ନିୟମ ଅଛି । କିନ୍ତୁ ହଳଦୀ ଏଏନ୍‌ଏମ୍‌ ସଂପୃକ୍ତ କ୍ୱାଟର୍ସରେ ରହୁ ନ ଥିବାରୁ ସାଧାରଣ ରୋଗୀମାନେ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି । ହଳଦୀରେ ଏକ ପଶୁ ଚିକିତ୍ସା କେନ୍ଦ୍ର ଥିଲେ ମଧ୍ୟ ଏଠାରେ ଦାୟିତ୍ୱରେ ଥିବା ଏଲ୍‌ଆଇ ଜଣଙ୍କ ଅଫିସ କାର୍ଯ୍ୟରେ ଠିକ୍ ସମୟରେ ରହୁନାହାନ୍ତି । ଫଳରେ ଗୋ’ ଚାଷୀ ତଥା ପଶୁମାନେ ଜରୁରୀ ସେବା ପାଇ ପାରୁନାହାନ୍ତି । ହଳଦୀରେ ସମସ୍ତ ଚାଷୀମାନଙ୍କ ସୁବିଧା ପାଇଁ ଏକ ଏଏଓ ପଦବୀ ସହ ପ୍ରତି ପଞ୍ଚାୟତ ପାଇଁ ଭିଏଡବ୍ଲ୍ୟୁ ରହିବା ନିୟମ ରହିଛି । କିନ୍ତୁ ହଳଦୀ ପଞ୍ଚାୟତ ଦାୟିତ୍ୱରେ ଥିବା ଭିଏଡବ୍ଲ୍ୟୁ ଜଣଙ୍କ ସବୁବେଳେ ମୁରିବାହାଲରେ ରହୁଥିବାରୁ ହଳଦୀ ଅଞ୍ଚଳର ଚାଷୀମାନେ ନିଜ ଚାଷର ଅସୁବିଧା ପାଇଁ ତାଙ୍କୁ ଭେଟିବାକୁ ମୁରିବାହାଲ ଆସିବାକୁ ପଡୁଛି । ଫଳରେ ଚାଷୀମାନଙ୍କ ଅବସ୍ଥା କହିଲେ ନ ସରେ । ହଳଦୀ ପଞ୍ଚାୟତ ପକ୍ଷରୁ ହଳଦୀ ଗ୍ରାମର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମର ସବୁଆଡେ ସିସିଟିଭି ଲଗାଯାଇଥିଲା । କିନ୍ତୁ ଗ୍ରାମରେ ଲଗାଯାଇଥିବା ବହୁ ସିସିଟିଭି ଦୀର୍ଘ ଦିନରୁ ଖରାପ ହୋଇପଡିଛି । ଫଳରେ ଗ୍ରାମରେ ଚୋରି, ଡକାୟତିର ଭୟ ଓ ସୁରକ୍ଷା ବିପନ୍ନ ସହ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ହଳଦୀ ଗ୍ରାମ ମଝି ଦେଇ ଯାଇଥିବା ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ଦିନକୁ ଦିନ ଆହୁରି ସଙ୍କୁଚିତ ହୋଇ ଯାଉଥିବାରୁ ପ୍ରତିଦିନ ଛୋଟ ଛୋଟ ଦୁର୍ଘଟଣା ଘଟୁଛି । ରାଜସ୍ୱ ବିଭାଗ ପକ୍ଷରୁ ମୁଖ୍ୟ ରାସ୍ତାକୁ ମାପ କରି ନିର୍ମାଣ ଚାଲିଥିବା ଏହି ପୂର୍ତ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ଓସାରିଆ କରି ନିର୍ମାଣ କରାଯିବା ତଥା ରାସ୍ତାର ଉଭୟ ପାଖରେ ଡ୍ରେନ ନିର୍ମାଣ କରିବା ପାଇଁ ଦାବୀ ହେଉଛି । ନଚେତ ହଳଦୀ ହାଇସ୍କୁଲ ଠାରୁ କେନାଲ ରାସ୍ତା ଦେଇ ହାଟପଦା ଛକ ୫୯ଜାତୀୟ ରାଜପଥକୁ ଯୋଗାଯୋଗ କରୁଥିବା ରାସ୍ତାକୁ ବାଇପାସ ରାସ୍ତା ନିର୍ମାଣ କରାଯାଉ । ହଳଦୀ ଗ୍ରାମରେ ଲାଗିରହିଥିବା ସବୁଦିନିଆ ପାନୀୟ ଜଳଯୋଗାଣ ସମସ୍ୟାକୁ ସମାଧାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ହଳଦୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶ୍ରେଣୀଗୃହ ଅଭାବକୁ ପୂରଣ କରାଯିବାକୁ ଦାବୀ ହୋଇଛି । ହଳଦୀ ପ୍ରାଥମିକ କୃଷି ସମବାୟ ସମିତିର ସ୍ଥାୟୀ ଅଫିସ ଗୃହ ନ ଥିବାରୁ ଚାଷୀମାନଙ୍କୁ ସେଠାରେ ଥିବା ଗୋଦାମ ଘରେ କିମ୍ବା ବାହାରେ ଅପେକ୍ଷା କରିବାକୁ ପଡୁଛି । ଫଳରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକର କୋଠା କାମଗୁଡ଼ିକ ମଧ୍ୟ ଅସମ୍ପୂର୍ଣ୍ଣ ଥିବାରୁ କୁନି କୁନି ଶିଶୁମାନେ ପର ଘରେ ପାଠ ପଢ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅତି ଶୀଘ୍ର ଏହି ଦାବୀଗୁଡ଼ିକ ପୂରଣ କରାଯିବାକୁ ଗ୍ରାମବାସୀ ଦାବୀ କରିଥିଲେ । ଅଭିଯୋଗ ପତ୍ର ଗ୍ରହଣ କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ ହଳଦୀ ଗ୍ରାମର ନରହରି ପଶାୟତ, ଚତୁର ମହାନନ୍ଦ, ଉପେନ୍ଦ୍ର ଦୀପ, ରବିକିରଣ ମହାକୁର, ଋଷଭ ବାଗ, ସୁବାସ ପୋଡ଼, ଛବି ପୁଝାରୀ, ସୁଲକ୍ଷଣୀ ବାଗ ,ରାଧେଶ୍ୟାମ ହାତୀ, ନର ହାତୀ, କାଳିଆ ପୋଡ଼, ରଜନୀ ଭୋଇ, ଜନ୍ମଜୟ ବାଗ ଓ ପରମାନନ୍ଦ ମାହାକୁର ଉପସ୍ଥିତ ରହି ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!