ବଲାଙ୍ଗିର, (କେପିଏନ୍ଏସ୍) : ଦେଓଗାଁ ବ୍ଲକ୍ ଜରାସିଂହା ଗାଁରେ ଜଣେ ବ୍ୟକ୍ତି ସରକାରୀ ଜମିକୁ ଦଖଲ କରିଥିବା ନେଇ ଏସ୍ଏଚ୍ଜି ମହିଳା ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ଜରାସିଂହା ଗାଁରେ ସରକାରୀ ଜମିକୁ ଗାଁର ଡମନ ବାଗ, ରାଜ ଦଣ୍ଡସେନା ଜବର ଦଖଲ କରି ଗାଈ ଗୁହାଲ କରି ନିଜେ ବସବାସ କରୁଛନ୍ତି । ସରକାରୀ ଜମି ହୋଇଥିବା ବେଳେ ଗାଁକୁ ଆସିଥିବା ଅମୃତ ଧାରା ଜଳ ପ୍ରକଳ୍ପ ପାଇଁ ସେହି ଜାଗା ଚିହ୍ନଟ କରିବାରୁ ଜିଲ୍ଲା ପରିଷଦ ପାଣ୍ଠିରୁ ମାଟି ଖୋଳି ପ୍ରଥମେ କାମ ଆରମ୍ଭ ହୋଇଥିଲା । ଏହାକୁ ବିରୋଧ କରି ଡମନ ବାଗ କାମକୁ ବନ୍ଦ କରି ଦେଇଥିଲେ । ଯାହା ଫଳରେ ଗ୍ରାମବାସୀଙ୍କ ବିକାଶ କାମରେ ବାଧା ସୃଷ୍ଟି ହୋଇଛି । ପାଖରେ ଏକ ଅଙ୍ଗନୱାଡ଼ି କେନ୍ଦ୍ର ଥିବା ବେଳେ ପାଖରେ ଥିବା କୂଅର ପାଣି ବ୍ୟବହାର କରୁଥିଲେ ତାକୁ ମଧ୍ୟ ଡମନ ବାଗ ପୋତି ଦେଇଛନ୍ତି । ଡମନ ବାଗ ଓ ରାଜ ଦଣ୍ଡସେନା ଜବର ଦଖଲ କରିଥିବା ଜମିରେ ଏସ୍ଏଚ୍ଜି ମହିଳାଙ୍କ ପାଇଁ ଏକ ମିଟିଂ ହଲ ଆସିଥିବା ବେଳେ ଦୁଇ ଜଣ ବ୍ୟକ୍ତି ତିବ୍ର ବିରୋଧ କରୁଛନ୍ତି । ଯାହା ଫଳରେ ଗାଁରେ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ତେଣୁ କରି ଗାଁର ଏସ୍ଏଚ୍ଜି ସଭାନେତ୍ରୀ ପୂର୍ଣ୍ଣିମା ସା, ସଂପାଦିକା ଶୋଭାରାଣୀ ବାଗ, ସିଆର୍ପି ସିଏମ୍ ଜ୍ୟୋସ୍ନା ଛତ୍ରିଆ ପ୍ରମୁଖ ଏସ୍ଏଚ୍ଜି ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଅତି ଶୀଘ୍ର ଉଭୟ ବ୍ୟକ୍ତିଙ୍କୁ ସରକାରୀ ଜମିରୁ ହଟାଇ ଗାଁର ବିକାଶ କାର୍ଯ୍ୟରେ ସେହି ଜମି ବ୍ୟବହାର କରାଯାଉ ବୋଲି ଦାବୀ କରିଛନ୍ତି ।
Next Post