jayashree

ମହଖଣ୍ଡ ପଂଚାୟତରେ ମନରେଗା ଦୁର୍ନୀତି

ତୁରେକେଲା, (ପିତାମ୍ବର ଦୀପ) : ସରକାର ଗରୀବ ଲୋକଙ୍କୁ କର୍ମ ନିଯୁକ୍ତି ପାଇଁ ଗାଁରେ କାମ ଯୋଗାଇବାର ପରିକଳ୍ପନାର ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ମଧ୍ୟ କିମ୍ବା ମନରେଗା ଜରିଆରେ ଲୋକଙ୍କୁ ବର୍ଷକ ୧୦୦ ଦିନର ମଜୁରୀ ଯୋଗାଇ ଦେବା ପ୍ରତିଶୃତି ବଦ୍ଧ ହୋଇଛନ୍ତି । ଏହାର ସଫଳ ରୂପାୟନ ତୃଣମୂଳ ସ୍ତରରେ ହୋଇ ପାରୁନାହିଁ । କାହିଁକିନା ପ୍ରଶାସନ, ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ଅବହେଳା ଓ ତାଙ୍କ କର୍ତ୍ତବ୍ୟ ହୀନତା ପାଇଁ ଗରୀବ ହିତାଧିକାରୀ ସେହି ଯୋଜନାରୁ ବାଦ ପଡି ଯାଉଛନ୍ତି । କେଉଁଠି ମଣିଷ ବଦଳରେ ମେସିନ କାମ କରୁଛି ତ କେଉଠି ମଣିଷ ବଦଳରେ ଦଲାଲ କାମ କରୁଛି । ଏଭଳି ଦେଖିବାକୁ ମିଳିଛି ତୁରେକେଲା ବ୍ଲକ ମହଖଣ୍ଡ ପଂଚାୟତରେ । ନିର୍ମାଣ ଧୀନ ବନ୍ଧ ଟ୍ୟାଙ୍କି ଓ ମନରେଗାରେ ହେଉଥିବା ପୋଖରୀ ଖନନ ଇତ୍ୟାଦି କାର୍ଯ୍ୟରେ ମେସିନ କାମ କରୁଥିବା ବେଳେ ବିଲ୍‌ ଭାଉଚର ଅନ୍ୟ ଲୋକଙ୍କ ନାମରେ ବାହାର କରି ହଡପ ହେଉ ଥିବା ଖବର ସମ୍ନାକୁ ଆସିଛି । ପଂଚାୟତରେ ଯେଉଁ ମାନେ ପ୍ରକୃତରେ ମନରେଗାରେ କାମ କରିଛନ୍ତି ସେମାନଙ୍କ ବିଲ୍‌ କିମ୍ବା ଟଙ୍କା ପାଇବାରେ ସହଜ ନୁହେଁ କିନ୍ତୁ କାମ ନକଲା ବାଲାଙ୍କ ଖାତାରେ ଶୀଘ୍ର ଟଙ୍କା ପଡି ଯାଉଥିବା ଅଭିଯୋଗ ହୋଇଛି । ଜିଆର୍‌ଏସ୍‌ଓ ଗାଁ ସାଥି ମାନଙ୍କ ମିଳିଭଗତରେ ଏସବୁ ସହଜରେ ସମ୍ଭବ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ମନରେଗାରେ ଉଚିତ୍‌ କାର୍ଯ୍ୟ କଲାବାଲା ମାସ ମାସ ପାଉଣା ପାଉ ନଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଉ ଥିବା ଲୋକଙ୍କ ନାମରେ ମନରେଗା ଟଙ୍କା ପଡୁଛି କେମିତି । ଏହା ପୂର୍ବରୁ ଜିଆର୍‌ଏସ୍‌ ରାଜକୁମାର ଶର୍ମା ଷ୍ଟ୍ରେଜର ସ୍ତ୍ରେନଥ ମଶାଣି ପଦାରେ କାମ ନକରି ବିଲ୍‌ ଉଠାଇଥିବା ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଥିଲା ଓ ତାର ଅନୁସନ୍ଧାନ ମଧ୍ୟ ବିଭାଗ ତରଫରୁ ଚାଲିଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ପଂଚୟତ ସ୍ଥରୀୟ ଜନଶୁଣାଣି କାର୍ଯ୍ୟକ୍ରମରେ ମଧ୍ୟ ମନରେଗା ଟଙ୍କା ପାଇ ନଥିବା ଶ୍ରମିକ ମାନେ ଅଭିଯୋଗ କରିବା ସହ ଜିଆର୍‌ଏସ୍‌ ବିରୋଧରେ ଅଭିଯୋଗ କରିଥିଲେ ଓ ଝମେଲା ଝାଟି ମଧ୍ୟ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଏଥି ପ୍ରତି ଉଚିତ୍‌ ତଦନ୍ତ କରି ପ୍ରଶାସନ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧରଣରେ ଦାବୀ ହେଉଛି ।

Leave A Reply

Your email address will not be published.