jayashree

ବାଲିଗୁଡା ବ୍ଲକରେ ମହା ଦୁର୍ନୀତି ଘଟଣା : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ହୋଇଥିବା ଦୁର୍ନୀତି ମାମଲାରେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସେମାନଙ୍କ ପାଖରୁ ସରକାରଙ୍କ ଟଙ୍କା ଅସୁଲ କରାଯାଇଛି କି ନାହିଁ ତାହା ଉପରେ ରିପୋର୍ଟ ମାଗିଛନ୍ତି ସରକାର । ଏଥିସହ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ୧୫ ତାରିଖ ସୁଦ୍ଧା ସବୁ ଘଟଣାର ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଏବଂ ସଶସ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଗତ ୧ ତାରିଖରେ ଚିଠି ନଂ.୮୭୮୧ରେ ଜିଲ୍ଲାପାଳଙ୍କୁ ଏହି ଘଟଣା ଉପରେ ରିପୋର୍ଟ ମାଗିଛନ୍ତି । ବାଲିଗୁଡା ବ୍ଲକରେ ଜାତୀୟ ପରିବାର ସହାୟତା ଯୋଜନା (ଏନ୍‌ଏଫ୍‌ବିଏ)ରେ ୭୫ ଲକ୍ଷ ୩୦ ହଜାର ଟଙ୍କାର ଦୁର୍ନୀତି ହୋଇଥିଲା । ଅଡିଟ ରିପୋର୍ଟ ଅନୁସାରେ ଏଥିରେ ସାମିଲ ଥିବା ଅଧିକାରୀଙ୍କ ପାଖରୁ ଅର୍ଥ ଆଦାୟ କରି ସରକାରଙ୍କ ପାଖକୁ ନେବା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୨୦୨୨ ନଭେମ୍ବର ୩୧ରେ ଚିଠି ନଂ. ୩୦୯୪, ୨୦୨୩ ମାର୍ଚ୍ଚ ୨୮ରେ ଚିଠି ନଂ. ୨୬୧୮ ଏବଂ ମାର୍ଚ୍ଚ ୩୦ରେ ଚିଠି ନଂ ୨୭୦୬ରେ ବାରମ୍ବାର ଚିଠି କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ । ତୁରନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଖରୁ ଅର୍ଥ ଆଦାୟ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ହୋଇଛି । ସରକାରୀ ଅର୍ଥ ହଡପ କରି ଆମର କିଛି ହେବ ନାହିଁ ବୋଲି ଭାବି ବସିଥିବା ଅଧିକାରୀଙ୍କ ଉପରେ ଏବେ ଚଡକ ପଡିଛି । ଏହି ଦୁର୍ନୀତିର ମୂଳ ପୂର୍ବତନ ଏଲ୍‌ଏସ୍‌ଇଓ / ବିଏସ୍‌ଏସ୍ଓଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ହେଲେ ତାଙ୍କ ପାଖରୁ କୌଣସି ଟଙ୍କା ଅସୁଲ କରାଯାଇନାହିଁ । ଏହି ଦୁର୍ନୀତିର ସାମିଲ ଥିବା ଅନ୍ୟମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କି ସେମାନଙ୍କୁ ହୋଇଥିବା ନିର୍ଦ୍ଦେଶ ମୁତାବକ ଅର୍ଥ ଭରଣା କରାଯାଇନାହିଁ । ବାଲିଗୁଡା ବ୍ଲକରେ ଲୋକାଲ ଫଣ୍ଡ ଅଡିଟ ଚିଠି ନଂ. ୨୮୬/୨୭.୨.୨୦୧୭ରେ ଓଏପି( ବାଦ୍ଧକ୍ୟ ଭତ୍ତା), ଏନ୍‌ଏଫ୍‌ବିଏ (ଜାତୀୟ ପରିବାର ସହାୟତା ଯୋଜନା) ଯୋଜନାରେ କୋଟିରୁ ଅଧିକ ଟଙ୍କା ହଡପ ନେଇ ବାଲିଗୁଡା ଥାନାରେ କିଛି ଅଧିକାରୀ ଓ କର୍ମଚାରୀଙ୍କ ନାମରେ ମାମଲା ହୋଇଛି । କିନ୍ତୁ ଦୀର୍ଘ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ଏମାନଙ୍କ ଉପରେ କୌଣସି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କେବଳ ଏଇଏସିଓ ଅମୃତା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଘଟଣାରେ ସାମିଲ ଥିବା କ୍ୟାସିୟର ଓ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ବାଲିଗୁଡା ବ୍ଲକର ପୂର୍ବତନ ଏଲ୍‌ଏସିଓ ଅମୃତା ମିଶ୍ର, ପୂର୍ବତନ କୋଷାଧ୍ୟକ୍ଷ ସତ୍ୟନାରାୟଣ ସାହୁ, ବରିଷ୍ଠ କିରାଣୀ ତ‌ଥା ଆକାଉଣ୍ଟାଣ୍ଟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ପୂର୍ବତନ ବିଡିଓ ଶୁଭେନ୍ଦୁ ସାମଲ, ପୂର୍ବତନ ଆକାଉଣ୍ଟାଣ୍ଟ ଜୟଦେବ କହଁର ୨୦୦୯ରୁ ୨୦୧୭ ଆର୍ଥିକ ବର୍ଷରେ କୋଟିଏରୁ ଅଧିକ ଟଙ୍କା ହଡପ କରିଥିବା ସ୍ୱତନ୍ତ୍ର ଅର୍ଡିଟ୍ ରିପୋର୍ଟରେ ପ୍ରକାଶ ପାଇଥିଲା । ପୂର୍ବତନ ଏଲ୍‌ଏସ୍‌ଇଓ ଅମୃତା ମିଶ୍ରଙ୍କ ନାମରେ ୧୯ ଲକ୍ଷ ୭୨ ହଜାର ୫୫୩, ବାଲିଗୁଡା ପୂର୍ବତନ କ୍ୟାସିୟର ସତ୍ୟନାରାୟଣ ସାହୁଙ୍କ ନାମରେ ୧୭ ଲକ୍ଷ ୮୪ ହଜାର୧୫୪, ଆକାଉଣ୍ଟାଣ୍ଟ ପ୍ରକାଶ ଚନ୍ଦ୍ର ସାହୁଙ୍କ ନାମରେ ୧୧ ଲକ୍ଷ ୩୦ ହଜାର, ପୂର୍ବତନ ବିଡିଓ ଶୁଭେନ୍ଦୁ ସାମଲଙ୍କ ନାମରେ ୧୭ ଲକ୍ଷ ୧୪ ହଜାର ୧୫୫ ଟଙ୍କା ଓ ବାଲିଗୁଡା ପୂର୍ବତନ ହେଡ୍‌ କ୍ଲର୍କ ଜୟଦେବ କହଁରଙ୍କ ନାମରେ ୭ ଲକ୍ଷ ୧୪ ହଜାର ୧୫୪ ଟଙ୍କା ହଡପ କରିଥିବା ରିପୋର୍ଟରେ ଦର୍ଶାଯାଇଥିଲା । ସେହିପରି ୪ ଜଣ ପୂର୍ବତନ ବିଡିଓଙ୍କ ନାମରେ ଟଙ୍କା ହଡପ ଅଭିଯୋଗ ହୋଇଥିଲା । ତେବେ ପୂର୍ବତନ ବିଡିଓ ପ୍ରମୋଦ ପୃଷ୍ଟି, ରବିନାରାୟଣ ସାହୁ ଓ ସରୋଜ ମିଶ୍ର ନାମରେ ଥିବା ଟଙ୍କା ସେମାନେ ଫେରାଇ ଦେଇଛନ୍ତି । ସୂଚନାଯୋଗ୍ୟ, ବାଲିଗୁଡା ବ୍ଲକରେ ଏନ୍‌ଏଫ୍‌ବିଏସ୍‌ରେ ପାଖାପାଖି କୋଟିଏ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଲୋକାଲ ଅର୍ଡିଟରୁ ଜଣାପଡିବାରୁ ପୂର୍ବତନ ଜିଲ୍ଲାପାଳ ରଘୁଜି ଏହାର ଏକ ସ୍ୱତନ୍ତ୍ର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆସିଥିବା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଲୋକଙ୍କ ନାମରେ ୨୦ରୁ ୨୨ ଥର ଲେଖାଏ ଡିପୋଜିଟ କରାଯାଇ ଟଙ୍କା ହଡପ କରାଯାଇଥିବା ଲୋକାଲ ଅର୍ଡିଟ ଫଣ୍ଡ ରିପୋର୍ଟରେ ପ୍ରକାଶ ପାଇଥିଲା । ସ୍ୱତନ୍ତ୍ର ଅଡିଟରେ ଦେଢ କୋଟି ଅର୍ଥ ହଡପ ହୋଇଥିବା ଜଣାପଡିବା ପରେ ପୂର୍ବତନ ଜିଲ୍ଲାପାଳ ଡା. ବୃନ୍ଦା ଡି. ଅଭିଯୁକ୍ତ ମାନଙ୍କ ବିରୋଧରେ ଏତଲା ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.