ଖଲ୍ଲିକୋଟ : ଘଟଗାଁ ତାରିଣୀ ଦର୍ଶନ ସାରି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍ । ଜଣେ ମୃତ ୧୨ ଆହତ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରୁ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ଏକ କାର ଯୋଗେ ଘଟଗାଁ ତାରିଣୀ ଦର୍ଶନ କରିବାକୁ ଯାଇଥିଲେ । ଗାଡିରେ ଡ୍ରାଇଭରକୁ ମିଶାଇ ମୋଟ ୧୩ ଜଣ ଥିଲେ । ସେମାନଙ୍କ ମଧ୍ୟରେ ୫ ନାବାଳିକା ଥିଲେ । ସମସ୍ତେ ଘଟଗାଁ ତାରିଣୀ ଦର୍ଶନ ସାରି ପୁରୀ ଯାଇଥିଲେ । ପୁରୀରୁ ବ୍ରହ୍ମପୁର ଫେରିବା ବେଳେ ଭୋର୍ ସାଢେ ୫ଟା ବେଳେ କାର୍ଟି ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାରାୟଣୀ ଛକଠାରେ ଓଲଟି ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ରାସ୍ତା ଉପରେ ୪ ଥର ପଲଟିଥିଲା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ୪ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣଙ୍କ ନରସିମା ରେଡ୍ଡି ବୋଲି ଜଣାପଡ଼ିଛି ।
