
ଢେଙ୍କାନାଳ : ଢେଙ୍କାନାଳ ଏନ ଏଚ-୫୫ରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଯୋଗେ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଗୋଟିଏ ପରିବାର ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ନଗର ନିକଟରେ ଏକ ତେଲ ଟ୍ୟାଙ୍କର ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି । ତେବେ ବାଇକରେ ଥିବା ତାଙ୍କର ଦେଢ଼ ବର୍ଷର ଶିଶୁ ସୁରକ୍ଷିତ ଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଗ୍ରାମର । ମୃତ ମହିଳା ରଶ୍ମିରଞ୍ଜନ ଖୁଣ୍ଟିଆଙ୍କ ପତ୍ନୀ ୨୦ବର୍ଷୀୟା ଲୁସି ଖୁଣ୍ଟିଆ ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ରଶ୍ମି ରଞ୍ଜନ ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ରକୁ ନେଇ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ଯାଉଥିବା ବେଳେ ଆନନ୍ଦ ନଗର ଛକରେ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ପଛରୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ମାନେ ଦୁର୍ଘଟଣା ସ୍ଥଳରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ୫୫ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମୂର୍ଣ୍ଣ ଠପ ହୋଇଯାଇଥିଲା । ଜାତୀୟ ରାଜପଥରେ କଲେଜ ବାଇଲାସ ଓଭର ବ୍ରିଜ ନିର୍ମାଣ ଯୋଗୁଁ ତିଆରି ହୋଇଥିବା ସର୍ଭିସ ରୋଡ଼ ଅଣା ଓସାରିଆ ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଯାହାକୁ ନେଉ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳକୁ ଟାଉନ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏନ୍ ଏଚ୍ କର୍ତ୍ତୃପକ୍ଷଙ୍କୁ ଲୋକଙ୍କ ଦାବିକୁ ଜଣାଇ ଉଚିତ ପଦକ୍ଷେପ ନେବାକୁ ପ୍ରତିଶୃତି ପରେ ରାସ୍ତା ଅବରୋଧରୁ ହଟିଥିଲେ ସ୍ଥାନୀୟ ଲୋକେ । ପରେ ସକାଳ ପ୍ରାୟ ୯ଟା ସମୟରେ ରାସ୍ତାରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରକୁ ପୁଲିସ ଜବତ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି ।