କୁଜଙ୍ଗ : କଟକ-ପାରାଦ୍ଵୀପ ରାଜ୍ୟ ରାଜପଥ ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଓ ପୁଅ ଆହତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କୁଜଙ୍ଗ ଥାନା ଅଧୀନ ପଙ୍କପାଳ ପଞ୍ଚାୟତ ଜନାପାଳ ଗ୍ରାମ ଇନ୍ଦରା କଲୋନୀର ସୁମନ୍ତ ବେହେରା (୪୦ ବର୍ଷ) ଓ ପତ୍ନୀ ଝିଲି (୨୮ ବର୍ଷ) ସୋମବାର ସକାଳେ ପୁଅ ସୁପ୍ରଭାତକୁ ସ୍କୁଲ ଛାଡ଼ିବାକୁ ବାଇକ୍ ଯୋଗେ ଯାଉଥିଲେ । ପାରାଦ୍ଵୀପ ଆଡୁ ଦୃତ ଗତିରେ ଆସୁଥିବା ଏକ ଆଇ ୨୦ କାର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ରେ ବସିଥିବା ପତ୍ନୀ ଝିଲି ଛିଟିକି ପଡ଼ିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ଝିଲିଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ସୁପ୍ରଭାତ ସ୍ଵାମୀ ସୁମନ୍ତ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।