ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୧୨ ଆହତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ଏବଂ ୧୨ ବର୍ଷର ଶିଶୁ ଭାରତୀ ରେଡ଼ି । ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ରାତିରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ଲାଞ୍ଜିପଲ୍ଲୀ ଗ୍ରାମରୁ କନ୍ୟାଯାତ୍ରୀମାନେ ମାଣ୍ଡିଆପଲ୍ଲୀରେ ପହଞ୍ଚିଥିଲେ । ସମସ୍ତେ ଗାଡ଼ିରୁ ଓହ୍ଲାଇ ରାସ୍ତା ଉପରେ ଠିଆ ହୋଇ ବରପକ୍ଷ ଲୋକମାନଙ୍କୁ ଅପେକ୍ଷା କରିଥିଲେ । ଠିକ୍ ଏହି ସମୟରେ ଏକ ସ୍କର୍ପିଓ ଦୃତ ଗତିରେ ଆସି କନ୍ୟାଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖିଥିଲେ । ଅନ୍ୟପଟେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଥିଲା । ହେଲେ ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଜଣେ ଗୁରୁତରଙ୍କୁ ବିଶାଖାପାଟମକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.