ମାଲବାହୀ ମିନି ଟ୍ରକ ଦୁର୍ଘଟଣା, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ସ୍ଥାନୀୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୁକ୍ରବାର ଦିନ ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ ହରାଇ ନିମ୍ବ ଗଛରେ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ରାୟପୁର ପାପାଡ଼ି ଥାନା ଅନ୍ତର୍ଗତ ଏକ ପ୍ରାଇଭେଟ ପରିବହନ ସଂସ୍ଥାର ଗାଡ଼ି ନଂ ସିଜି୦୪ଏନ୍‌ଏମ୍‌-୩୧୮୫ ରାୟପୁରରୁ ପାଟଣାଗଡ଼କୁ ଦୋକାନୀମାନଙ୍କ ବିଭିନ୍ନ ସାମଗ୍ରୀ ପହଞ୍ଚାଇ ଫେରିବା ସମୟରେ ଖପ୍ରାଖୋଲ ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଭାରସାମ୍ୟ ହରାଇ ନିମ୍ବ ଗଛକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ଅଗ୍ନିସମ ବିଭାଗ କର୍ମଚାରୀମାନେ ପହଞ୍ଚି ଚାଳକ ଓ ଅନ୍ୟଜଣଙ୍କୁ ଉଦ୍ଧାର କରି ପ୍ରଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ଗାଡି ଚାଳକ ଅବଦୁଲ ହନିଫ ଖାନ ସୁରକ୍ଷିତ ଥିବା ବେଳେ ଗାଡିରେ ବସିଥିବା ଅଭିଷେକ ଶର୍ମା ଗୁରୁତର ହେବା ଫଳରେ ଖପ୍ରାଖୋଲ ଡାକ୍ତରଖାନାରେ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ ବାହାରକୁ ପଠାଯାଇଥିବା ଜଣାପଡ଼ିଛି । ଏନେଇ ଖପ୍ରାଖୋଲ ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.