ସୁବର୍ଣ୍ଣପୁରରେ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ଏବଂ ବ୍ୟବସ୍ଥିତ ଭାବେ ପାଳନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

  • ସମସ୍ତ ପୂଜା କମିଟି ପୂଜା ନିମନ୍ତେ ଆଜି ମଧ୍ୟରେ ଆବଶ୍ୟକ ପ୍ରଶାସନିକ ଅନୁମତି ନେବାକୁ ଜିଲ୍ଲାପାଳଙ୍କ ପରାମର୍ଶ
  • ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସମସ୍ତ ପୂଜା କମିଟି ପାଇଁ ବାଧ୍ୟତାମୂଳକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଳାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଶାସନ, ପୋଲିସ ବିଭାଗ ଓ ଜିଲ୍ଲାର ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ପୁର ପଲ୍ଲୀ ତଥା ସହରାଞ୍ଚଳରେ ପ୍ରାୟ ୭୧ ଗୋଟି ପୂଜା ପେଣ୍ଡାଲରେ ମାଁଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇବେ । ଏହି ପୂଜା ସମୟ ବିଶେଷ କରି ଷଷ୍ଠୀ ଠାରୁ ଦଶମୀ ଅଥବା ବିସର୍ଜନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ସହରରେ ପୂଜା ସମ୍ୱନ୍ଧୀୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାନ ଚାଲୁ ରହିବ ଏଣୁ ଜନ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ଆବଶ୍ୟକ ସତର୍କତା ଅବଲମ୍ବନ ସହ ପୂଜା ତଥା ପୂଜାପେଣ୍ଡାଲ, ମେଳା ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ବିଧିବଦ୍ଧ ପ୍ରଶାସନିକ ଅନୁମତି ନେବାକୁ ବୈଠକରେ ଜିଲ୍ଲାପାଳ କମିଟିର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ବିନା ଅନୁମତିରେ ପୂଜା କିମ୍ବା ମେଳା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ସୂଚିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ପୂଜାପେଣ୍ଡାଲ କମିଟି ପୂଜା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର, ଅସ୍ଥାୟୀ ବିଦ୍ୟୁତ ଯୋଗାଣ , ଅଗ୍ନି ନିର୍ବାପକ ସୁରକ୍ଷା ନିମନ୍ତେ ଉପ ଜିଲ୍ଲାପାଳ ତଥା ସମ୍ପୃକ୍ତ ବିଭାଗ ଠାରୁ ଅନୁମତି ପତ୍ର ନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ କମିଟି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ପୂଜା ସମୟରେ ଓ ପରେ ସହର ତଥା ପୂଜାପେଣ୍ଡାଲ ଗୁଡିକରେ ପରିମଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ସହ ଜନ ସମାଗମ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଲୋକ ଗହଳିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପୂଜା କମିଟି ନିଜ ନିଜ କମିଟି ତରଫରୁ ଆବଶ୍ୟକ ସତର୍କତା ଅବଲମ୍ବନ ପୂର୍ବକ ସ୍ୱେଚ୍ଛାସେବୀ ନିୟୋଜିତ ପୂର୍ବକ ଭିଡକୁ ନିୟନ୍ତ୍ରଣ ତଥା ସୁପରିଚାଳନ କରିବାକୁ ପରାମର୍ଶ ଦେଇଛନ୍ତି । କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟିର ସମ୍ଭାବନା ବା ଆଶଙ୍କା ଦେଖାଗଲେ ତୁରନ୍ତ ନିକଟସ୍ଥ ପ୍ରଶାସନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ପୂଜା ସମୟରେ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଅନୈତିକ ନସା କାରବାରର ଚୋରାଚାଲାଣ ତଥା ସର୍ବସାଧାରଣ ଖୋଲା ଜାଗାରେ କୌଣସି ପ୍ରକାର ମାଦକ ଦ୍ରବ୍ୟ ବ୍ୟବହାର ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ କହିଛନ୍ତି । ଏହି ସମୟରେ ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ନେବା ସହ ଚଢ଼ାଉ ଜୋରଦାର କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାରେ ବିଶେଷ କରି ସହରାଞ୍ଚଳରେ ପୂଜା ସମୟରେ ବିଦ୍ୟୁତ ବିଭ୍ରାଟ ଯେପରି ନହେବ ସେଥିପାଇଁ ଆବଶ୍ୟକ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜରୁରୀକାଳୀନ ବ୍ୟବସ୍ଥା ପାଇଁ ପ୍ରତ୍ୟେକ କମିଟି ନିଜ ନିଜର ପେଣ୍ଡାଲ ତଥା ମେଳା ନିମନ୍ତେ ଆବଶ୍ୟକ ଜେନେରେଟର ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ବିଦ୍ୟୁତ ଯୋଗାଯୋଗକୁ ବ୍ୟବସ୍ଥିତ ଓ ନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକ ପୂଜା କମିଟି ସେମାନେ ବିଦ୍ୟୁତ ବିଭାଗ ଠାରୁ ଅସ୍ଥାୟୀ ଆବଶ୍ୟକ ବିଦ୍ୟୁତ ଯୋଗାଣ ପାଇଁ ଅନୁମତି ନେବାକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲା ତଥା ସହରରେ ହେବାକୁ ଥିବା ଦୁର୍ଗାପୂଜା ପାଳନ ସମୟରେ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ନିଆଯାଇ ଥିବା ପଦକ୍ଷେପ ଉପରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ବୈଠକରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ଜିଲ୍ଲାରେ ସମୁଦାୟ ୭୧ ଗୋଟି ପୂଜାପେଣ୍ଡାଲର ଆୟୋଜନ ହେଉଥିବା ସୂଚିତ କରି, ସମ୍ବେଦନଶୀଲ ଅଞ୍ଚଳ ଗୁଡିକରେ କଡା ବ୍ୟବସ୍ଥା ନିଆଯାଇଥିବା ପ୍ରକାଶ କରିଥିଲେ । କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ଅପ୍ରୀତିକର ପରିସ୍ଥିତି ପାଇଁ ପୋଲିସ ପ୍ରଶାସନ ଦ୍ୱାରା ଆବଶ୍ୟକ ପେଟ୍ରୋଲିଙ୍ଗ ସହ ପୋଲିସ ବଳ ନିୟୋଜନ ଉପରେ ସୂଚିତ କରିଥିଲେ । ତତ୍‌ ସହ ପୂଜା ସମୟରେ ବିଭିନ୍ନ ଫାଷ୍ଟ ଫୁଡ ଠେଲା ଦୋକାନ, ଜଳଖିଆ ଦୋକାନ, ହୋଟେଲ ପ୍ରଭୃତିରେ ଖାଦ୍ୟକୁ ଯାଞ୍ଚ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ପୂଜା ସମୟରେ ଓ ପରେ ସହର ରାସ୍ତାଘାଟ, ମେଳା ପଡିଆ ପ୍ରଭୃତି ସ୍ଥାନରେ ଅଳିଆ ଆବର୍ଜନାକୁ ସଫା କରିବା ସହ ପରିମଳ ନିମନ୍ତେ ଆବଶ୍ୟକ ଯତ୍ନବାନ ହେବାକୁ ନିର୍ବାହୀ ଅଧିକାରୀ ପୌର ପରିଷଦଙ୍କୁ ପରାମର୍ଶ ଦିଆଯାଇଛି । ରାତିରେ ଜନ ସାଧାରଣଙ୍କ ଯିବା ଆସିବାକୁ ସୁଗମ ତଥା ସୁରକ୍ଷିତ କରିବା ନିମନ୍ତେ ସହରରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦିଆଯାଇଛି । ଆଜି ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି, ସୋନପୁରର ଉପ ଜିଲ୍ଲାପାଳ ସୌମ୍ୟାରୁପା ରଥ, ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ତ, ଜିଲ୍ଲାମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଏ.ଡି.ଏମ୍‌.ଓ ଡ଼ଃ.ରମେଶ ଚନ୍ଦ୍ର ସ୍ୱାଇଁ, ଏସ୍‌.ଡି.ପି.ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଅବକାରୀ ଅଧିକ୍ଷକ ପ୍ରବୀର ସାମଲ, ଆର.ଡବ୍ଲୁ.ଏସ୍‌.ଏସ ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ପ୍ରଧାନ, ଟି.ପି.ଓ.ଡବ୍ଲୁ.ଡି.ଏଲ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ମିଶ୍ର, ଜିଲ୍ଲା ଫାୟାର ଅଧିକାରୀ ଭବେନ୍ଦ୍ର ନାଥ ଦେ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ପୌର ପରିଷଦ ସୋନପୁର, ବିଜ୍ଞାପିତ ଅଞ୍ଚଳ ପରିଷଦ ତରଭା ଓ ବିନିକାର ନିର୍ବାହୀ ଅଧିକାରୀ, ସମସ୍ତ ତହସିଲଦାର, ଜିଲ୍ଲାର ଗ୍ରାମ୍ୟଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ସୁବର୍ଣ୍ଣପୁର ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ପାଳନକୁ ଶାନ୍ତି ଶୃଙ୍ଖଳାର ସହ ଖୁସିରେ ପାଳନ କରିବାକୁ କହିବା ସହ ସମସ୍ତ ପୂଜାକମିଟି ନିଜ ନିଜ ସ୍ତରରେ ଆବଶ୍ୟକ ସଚେତନତା ତଥା ବ୍ୟବସ୍ଥାକୁ ନିଶ୍ଚିତ କରିବା ସହ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.