୪୭ତମ ବର୍ଷରେ ଶକ୍ତିନଗର ଦୁର୍ଗା ପୂଜା କମିଟି

ରାଉରକେଲା : ଶକ୍ତିନଗର ଦୁର୍ଗା ପୂଜା ୪୭ତମ ବର୍ଷରେ ପଦାର୍ପଣ କରିବ । ଏହି ଦୁର୍ଗା ପୂଜା ଉତ୍ସବ ପାଳନ ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଗତ ୪୬ ବର୍ଷ ଧରି ଉତ୍ସାହ ଓ ଉଦ୍ଦୀପନାର ସହ ଏହି ପୂଜା ଉତ୍ସବ ସହରର ପୁରାତନ ଜନବସତି ଶକ୍ତିନଗର ଅଂଚଳରେ ପାଳିତ ହେଉଥିବା ବେଳେ ରାଉରକେଲା ମହାନଗର ନିଗମ ଅଂଚଳରେ ଏହାର ଏକ ସ୍ୱତନ୍ତ୍ର ଛାପ ରହିଛି । ବିଶେଷ କରି ସ୍ୱତଃପ୍ରବୃତ ଭାବେ ଅଂଚଳରବାସୀଙ୍କ ସମ୍ମିଳିତ ସହଯୋଗ ପ୍ରତିବର୍ଷ ଏହି ପୂଜା ଉତ୍ସବକୁ ସଫଳ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିଛି । ତୋରଣ, ମୂତ୍‌ର୍ତ୍ତି ଓ ଅନ୍ୟ ସାଜସଜାକୁ ନେଇ ବଜେଟ ରହିଛି ପ୍ରାୟ ୮ ଲକ୍ଷ ଟଙ୍କା । ପୂଜା ମଣ୍ଡପରୁ ଆରମ୍ଭ କରି ମାର୍କେଟ ଅଂଚଳରେ ସୁନ୍ଦର ଆଲୋକ ସାଜସଜା ପ୍ରତି ଧ୍ୟାନ ଦିଆଯାଇଛି ବୋଲି ଶକ୍ତି ନଗର ଦୁର୍ଗା ପୂଜା କମିଟିର ସଭାପତି ଦେବପ୍ରସାଦ ସାହୁ କହିଛନ୍ତି । ଚଳିତ ବର୍ଷ ତୋରଣକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ କରାଯାଇଥିବା ବେଳେ ମା’ଙ୍କ ମୂତ୍‌ର୍ତ୍ତି ଉପରେ ହେଉଥିବା ମେଢ଼ ଅତ୍ୟନ୍ତ ଆକର୍ଷଣୀୟ ହେବ । ପ୍ରଥମଥର ପାଇଁ କମଳ ନିଳୟ ପ୍ରତିଛବିକୁ ଏହି ମେଢ଼ ଉପରେ ଶୋଭାବର୍ଦ୍ଧନ କରିବ । ଶ୍ରଦ୍ଧାଳୁଙ୍କ ପାଇଁ ଏହା ନିଶ୍ଚିତ ଭାବେ ନିଆର ଉପଭୋଗ ବୋଲି ଶକ୍ତିନଗର ଦୂର୍ଗା ପୂଜା କମିଟିର ସାଧାରଣ ସମ୍ପାଦକ ଶାନ୍ତନୁ ମହାରଣା କହିଛନ୍ତି । କୌଣସି ଏକ ନିଦ୍ଧିଷ୍ଟ ପ୍ରତିକୃତିକୁ ଚଳିତବର୍ଷ ତୋରଣ ଭାବେ ନିଆ ନଯାଇ କମଳ ନିଳୟ ତୋରଣ ଚଳିତବର୍ଷ ଡେକୋରେଟର ଭାବତୋଷ ପଣ୍ଡାଙ୍କ ତତ୍ୱାବଧାନରେ କାରିଗରମାନେ ବିଭିନ୍ନ କାରୁକାର୍ଯ୍ୟରେ ସୁସଜ୍ଜିତ କରିଛନ୍ତି । ଏହି ତୋରଣ ୫୫ ଫୁଟ ଉଚ୍ଚତା ରହିଥିବା ବେଳେ ଓସାର ରହିଛି ୪୫ ଫୁଟ । ମା’ଙ୍କ ମୂତ୍‌ର୍ତ୍ତି ନିର୍ମାଣ କରିଛନ୍ତି ପ୍ରସିଦ୍ଧ ଶିଳ୍ପୀ ବାପି ବିନ୍ଧାଣୀ, ଆଦିଯୋଗୀ ଥିମ ମା’ଙ୍କ ମୂତ୍‌ର୍ତ୍ତିକୁ ଅଧିକ ଆକର୍ଷଣୀୟ କରିବ । ଏହାର ଉଚ୍ଚତା ରହିଛି ୨୦ ଫୁଟ । ଏହା ସହ ପ୍ରତିଦଦିନ ମା’ଙ୍କ ପାଖରେ ବିଭିନ୍ନ ଭୋଗ ଲାଗିବାକୁ ଥିବା ବେଳେ ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ଅଂଚଳବାସୀଙ୍କ ପାଇଁ ଭୋଗ ବଂଟନ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.