୨୮ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ : ଅର୍ଚ୍ଚନାଙ୍କ ସ୍ୱର ଓ ଲୋକନୃତ୍ୟରେ ଦୁଲୁକିଲା ବୁଢ଼ାରଜା ମଞ୍ଚ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦୁଇ ଦିନ ଧରି ଆନନ୍ଦ ଉଲ୍ଲାସର ସହିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ୨୮ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ ହୋଇଯାଇଛି । ଏହି ଉଦଯାପିତ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗ ଦେଇଥିଲେ ଏବଂ ବିଶିଷ୍ଟ ଅତିଥି ଭାବେ କେସିଙ୍ଗା ଥାନାର ଏସଡ଼ିପିଓ ସନ୍ଦୀପ କୁମାର ମାଝୀ ଯୋଗଦେଇଥିଲେ । ଶିକ୍ଷା, ସମାଜସେବା, କ୍ରୀଡା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରେଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶନିବାର ପୂର୍ବାହ୍ନ ୮ଟାରେ ସହରର ଅଧିଷ୍ଠାତ୍ରୀ ଦେବତା ବୁଢ଼ାରଜା ବୁଢ଼ା ଡଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ବୀର ବାଦ୍ୟ ଘୁମୁରା ବାଦ୍ୟରେ ସହର କମ୍ପି ଉଠିଥିଲା । ସହର ପରିକ୍ରମା କରି ବିଦ୍ୟାପୀଠ ସ୍ଥିତ ବୁଢ଼ାରଜା ମଞ୍ଚ ଯାଏଁ ମଶାଲ ଶୋଭାଯାତ୍ରା କରି ମଶାଲ ସ୍ଥାପନ କରାଯାଇଥିଲା । ଏହି ମଶାଲ ଯାତ୍ରା ପରେ ବୁଢ଼ାରଜା ମଞ୍ଚକୁ ନିମନ୍ତ୍ରିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଏସଡ଼ିପିଓ ସନ୍ଦୀପ ମାଝୀଙ୍କ ସମେତ ସମସ୍ତ କାଉନ୍ସିଲର ବୃନ୍ଦ ଯୋଗଦାନ କରି ମଞ୍ଚକୁ ଉଦଘାଟନ କରିଥିଲେ । ଦୁଇ ଦିନ ଆଗରୁ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା, ସକାଳ ୮ ସମୟରେ ଓ୍ୱାକାଥନ ଓ ମାରାଥନ, ଏହାପରେ ପୂର୍ବାହ୍ନ ୧୧ଟାରୁ ଲୋକଗୀତ, ଲୋକନୃତ୍ୟ, ଝୋଟି, ମୁରୁଜ, କଳାହାଣ୍ଡିଆ ପିଠା, ବିଭିନ୍ନ ଭଜନ, ଦଉଡି ଡିଆଁ, ଆଦି ଛାତ୍ରଛାତ୍ରୀଙ୍କ ଦାରା ପ୍ରତିଯୋଗିତା ହୋଇଥିଲା । ଅପରାହ୍ନରେ ବିଭିନ୍ନ ସାଂସ୍କୃତିକ ଦଳ ଏବଂ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ୧୦ଟି ଷ୍ଟଲ ଲଗାଯାଇଥିଲା । ପରିଶେଷରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀଙ୍କ ସମେତ ଦଳଗତ ଚିତ୍ତାକର୍ଷକ, ବିଭିନ୍ନ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅର୍ଚ୍ଚନା ପାଢ଼ୀଙ୍କ ନାଚ ଓ ଗୀତରେ ଦର୍ଶକ ଆନନ୍ଦ ଉଲ୍ଲାସରେ ବେଶ ଝୁମି ଉଠିଥିଲେ । କାଉନସିଲର ରମାକାନ୍ତ ଜେନା, ଶମ୍ଭୁ ବଗର୍ତ୍ତି, ରୋହିତ ଜୈନ, ଧରଣୀ ନାଏକ, ପ୍ରକାଶ ବନଛୋର, ଭୂପେନ୍ଦ୍ର ଘିଭେଲା, ମଞ୍ଜୁଳା ସାହୁ, କବିତା ମାଝୀ, ପ୍ରେରଣା ନାଏକ, ହେମ ସୁନା, ମଞ୍ଜୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉଦଯାପନୀ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀଙ୍କ ମେଲୋଡି ପ୍ରୋଗ୍ରାମ ଦେଖିବା ପାଇଁ ଶୀତୁଆ ରାତିରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାକୁ ପରିଚାଳନା କରିଥିଲେ ପୁଣିଥରେ ବରିଷ୍ଠ ଉଦଘୋଷକ ବି. ଚନ୍ଦ୍ରଶେଖର ଆଚାରୀ । ଏହି ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣା, ଶ୍ରୀନୁ ରାଓ, ମୋହନ ସାହୁ, ନୃସିଂହ ବେହେରା, ଗଦାଧର ସିଂହ ଓ ଏନଏସିର ସମସ୍ତ କର୍ମଚାରୀ ସହ ଯୋଗ କରିଥିଲେ ।

Leave A Reply

Your email address will not be published.