ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମରେ ମୁହୁରୀ କଳାପରିଷଦ ଅନୁଷ୍ଠାନ ପକ୍ଷରୁ ତୃତୀୟ ବର୍ଷ ଉପଖଣ୍ଡ ସ୍ତରୀୟ ଗଁଡ଼ାବଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ପାଟଣେଶ୍ୱରୀଙ୍କର ଫଟୋଚିତ୍ରରେ ଅତିଥି ମାନେ ପୂଜା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାର (ହିମାଂଶୁ) ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ବିବରଣୀ ପାଠକରି କହିଲେ, କି ଗଁଡାବଜାକୁ ଆହୁରି ପ୍ରଚାର ପ୍ରସାର କରି ଗଁଡ଼ାବଜନିଆଁ ମାନଙ୍କୁ ଉଚିତ୍ ସମ୍ମାନ ପ୍ରଦାନ କରିବା ପାଇଁ କହିଥିଲେ । ଜୟନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ କାଳିଚରଣ ବାଗ (ବରଗଡ଼), ମୁଖ୍ୟବକ୍ତା ଭାବେ ଉପଖଣ୍ଡ ଲକ୍ଷେଘର ଗଣ୍ଡାସମାଜ ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଭକ୍ତରାମ ବାଗ (ପାଟଣାଗଡ଼), ସମ୍ମାନିତ ଅତିଥି ଭାବେ ମନୋଜ ବାଗ (ବିକେଏସ୍ଏସ୍) ସରପଞ୍ଚ ସୁବାଷ ମେହେର, ସମାଜସେବୀ ତେଜ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି କହିଲେ, ଗଁଡ଼ାବଜା ଆମର ସଂସ୍କୃତି, ଆମର ପରଂପରା ତାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଏହି ଗଁଡ଼ାବଜା ମହୋତ୍ସବ ପ୍ରତ୍ୟେକ ବର୍ଷ ଆୟୋଜନ କରୁଛୁ । ଏହି ଅବସରରେ ମୁଖ୍ୟ ଅତିଥି ଲୋକ କଳାକାର ହିଁ ଲୋକକଳାକୁ ବଞ୍ଚାଇ ପାରିବ ଏବଂ ଆମର ସମାଜର ସଂସ୍କୃତି ପରମ୍ପରା ସାଙ୍ଗରେ ଯୋଡିବାକୁ ହେଲେ ଆମକୁ ପୁଣି ଥରେ ସାଂଗଠନିକ ହିସାବରେ ଗଁଡ଼ାବଜାର ମୌଳିକ ତତ୍ତ୍ଵକୁ ବୁଝିବାକୁ ହେବ ବୋଲି କହିଥିଲେ । ଆମର ପଶ୍ଚିମ ଓଡ଼ିଶାର ଅମୂଲ୍ୟ ରତ୍ନ ଆମର ଗଁଡ଼ାବଜା । କଥାରେ ଅଛି ଆଗରେ ରଜା ପଛରେ ବଜା ଗଁଡାବଜା ନ ହେଲେ କୌଣସି ଶୁଭ କାର୍ଯ୍ୟ ହୋଇପାରିବ ନାହିଁ । ଏହି ଗଁଡ଼ାବଜା ଉତ୍ସବର ଉଦ୍ୟମ ଜାରି ରହିବ । ଯେ ପର୍ଯ୍ୟନ୍ତ ସରକାରୀ ସ୍ତରରେ ଗଁଡ଼ାବଜକୁ ମାନ୍ୟତା ନ ମିଳିଛି, ଗଁଡ଼ାବଜନିଆଁ ମାନଙ୍କର ଉନ୍ନତି ଓ ପ୍ରଗତି ପାଇଁ ଆମର ପ୍ରଚେଷ୍ଟା ଜାରି ରହିବ ବୋଲି ମୁଖ୍ୟବକ୍ତା କହିଥିଲେ । ଗଁଡ଼ାବଜାର ମୁହୁରୀକୁ କେମିତି ଆଗାମୀ ପିଢି ମଧ୍ୟ ପ୍ରଶିକ୍ଷଣ କରିପାରିବେ ସେହି ବିଷୟରେ ସମ୍ମାନିତ ଅତିଥିଗଣ ବିଶେଷ ଭାବରେ ପ୍ରତିପାଦିତ କରିଥିଲେ । ଏହି ଉତ୍ସବରେ କଳାର ପ୍ରଦର୍ଶନ କରିଥିବା କଳାକାର ମାନଙ୍କୁ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କୋଷାଧ୍ୟକ୍ଷ କ୍ଷୁଧାଶୁଂ ଶେଖର କୁମ୍ଭାର, ସହ ସମ୍ପାଦକ ପ୍ରଶାନ୍ତ ସାହୁ, ପ୍ରହଲ୍ଲାଦ କୁମ୍ଭାର, ଭଜରାଜ ଖୁଟଲା, ସିକନ୍ଦର ନାଗ, ଶିବପୁଟେଲ, ସ୍ୱାଧୀନ ଦେହେରୀ, ସୁନୀଲ ମେହେର, କୈବଲ୍ୟ କୁମ୍ଭାର, ଲିଙ୍ଗରାଜ ମେହେର, ବିକାଶ ଥପା ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ଉପସଭାପତି ମୁରଲୀଧର ଶିକା ଧନ୍ୟବାଦ ଅର୍ପଣ କରିଥିଲେ ।
Next Post